ଥରେ ଜଣେ ଯୁବକ ଏମିତି ସିଦ୍ଧ ପୁରୁଷଙ୍କ ସନ୍ଧାନ ପାଇଲା, ଯାହାଙ୍କ ବର ତୁରନ୍ତ ଫଳି ଯାଉଥିଲା। ତେଣୁ ସେ କହିଲା- ମହାତ୍ମା, ମୋତେ ବର ଦିଅନ୍ତୁ ଯେମିତି ମୁଁ ଖୁବ୍‌ ଧନୀ ହୋଇଯାଏ। ସିଦ୍ଧ ପୁରୁଷ କହିଲେ, ତଥାସ୍ତୁ। ତାଙ୍କ କଥା ସରିଛି କି ନାହିଁ ଯୁବକ ହୋଇଗଲା ଜଣେ ବିରାଟ ଧନୀ ବ୍ୟକ୍ତି।
ଧନ ପାଇବା ପରେ ସେ ସେଥିରେ ମାତିଲା। ତା’ ମନରେ ଭରିଉଠିଲା ଅହ˚କାର। ସେ ଧରାକୁ ସରା ମଣିଲା। ସାଧାରଣ ଲୋକଙ୍କୁ ହେୟଜ୍ଞାନ କଲା। ସେ ଭାବିଲା ଯେ ସେ ହେଉଛି ଏ ପୃଥିବୀର ସବୁଠାରୁ ଶ୍ରେଷ୍ଠ ବ୍ୟକ୍ତି। କିନ୍ତୁ ଏଣେ ତା’ ମନରେ ଏକ ଭୟ ମଧୢ ଦେଖାଦେଲା। ସେ ଭାବିଲା ଏ ଧନ ସ୍ବଳ୍ପ କାଳସ୍ଥାୟୀ ହେବ ନାହିଁ ତ? ଯଦି ମୁଁ କୌଣସି କାରଣରୁ ଧନସଂପତ୍ତି ହରାଏ, ତେବେ?
ତେଣୁ ସେ ପୁଣି ସେଇ ସିଦ୍ଧ ପୁରୁଷଙ୍କ ପାଖକୁ ଗଲା। ତାଙ୍କୁ ଏଥର ଅନୁରୋଧ କରି କହିଲା ମୋତେ ଆଉ ଏକ ବର ଲୋଡ଼ା।
ସିଦ୍ଧ ପୁରୁଷ କହିଲେ- କି ବର ବାବୁ?
ଯୁବକ କହିଲା- ଏଭଳି ଦିଅନ୍ତୁ ଯେମିତି କି ମୋ ଧନ ସ୍ଥାୟୀ ରହିବ। କେବେ ହେଲେ ତାହା ସରିବ ନାହିଁ।
ଏଥର ବି ସାଧୁ କହିଲେ- ତଥାସ୍ତୁ। କିନ୍ତୁ ତା’ ପରେ ଟିକିଏ ହସି ଦେଲେ।
ଯୁବକକୁ ସେହି ହସ ଟିକିଏ ବିଚିତ୍ର ଲାଗିଲା। ସେ ପଚାରିଲା- ଆପଣ ହସୁଛନ୍ତି କାହିଁକି?
ସାଧୁ ଏଥର ଗମ୍ଭୀର ଦିଶିଲେ। ତା’ ପରେ କହିଲେ- ତୁମ ଧନ ସ୍ଥାୟୀ ହୋଇଗଲା ସିନା, ତୁମେ ଯେ ଅସ୍ଥାୟୀ ତାହା ଭୁଲିଗଲ ବୋଧ ହୁଏ!
ଯୁବକ ଚମକିପଡ଼ି ପଚାରିଲା- ଏହାର ଅର୍ଥ?
ସିଦ୍ଧ ପୁରୁଷ କହିଲେ- ମୁଁ ଦେଖି ପାରୁଛି ଯେ ଏବେ ତୁମ ପଛରେ ଛିଡ଼ା ହୋଇଛନ୍ତି ମୃତ୍ୟୁ ଦୂତ। ମାତ୍ର କିଛି କ୍ଷଣ ଭିତରେ ତୁମର ମୃତ୍ୟୁ ଘଟିବ। ତୁମର ଧନ ରହିଯିବ, କିନ୍ତୁ ତୁମେ ନ ଥିବ!
ଯୁବକ କିଛି କହିବା ପୂର୍ବରୁ ସାଧୁ ଦୃଶ୍ୟପଟରୁ ଅପସରି ଯାଇଥିଲେ।