କଥାଟିଏ ଯାଯାବର, ରାଜା ହେବା ଲାଗି ଯୋଗ୍ୟତା

ବୃଦ୍ଧ ରାଜା ବିଚକ୍ଷଣ ମନ୍ତ୍ରୀଙ୍କୁ ପଚାରିଲେ ଯେ ତାଙ୍କର ତିନି ପୁଅଙ୍କ ଭିତରୁ ସେ କାହାକୁ ସି˚ହାସନର ଉତ୍ତରାଧିକାରୀ ଭାବେ ବାଛିବେ? ମନ୍ତ୍ରୀ କହିଲେ- ଯେହେତୁ ରାଜପୁତ୍ରମାନେ ଏକକୁ ଆରେକ ବଳୀୟାର, ଏହାର ଉତ୍ତର ଦେବ ଆମର ଦ୍ବାରପାଳ।
ରାଜା ଏହା ଦ୍ବାରା ଅପମାନିତ ବୋଧ କଲେ ମଧୢ ହଠାତ୍‌ କିଛି କହିଲେ ନାହିଁ। କାରଣ ମନ୍ତ୍ରୀ ଥିଲେ ବିଚକ୍ଷଣ।
ରାଜା ନିଜକୁ ସ˚ଯତ କରି ମନ୍ତ୍ରୀଙ୍କ ସହିତ ଦ୍ବାରପାଳକୁ ଡକାଇଲେ। ଦ୍ବାରପାଳ ମଧୢ ଥିଲା ବିଚକ୍ଷଣ। ମନ୍ତ୍ରୀ ତାକୁ ପଚାରିଲେ- ତୁମେ କହ ରାଜାଙ୍କ ତିନି ପୁତ୍ରଙ୍କ ଭିତରୁ ରାଜା ହେବାକୁ ଯୋଗ୍ୟ କିଏ?
ଦ୍ବାରପାଳ କହିଲା- ମହାରାଜ, ମୋର ମୁଣ୍ତ ରହିଲେ, ତୁଣ୍ତ ଫିଟିବ। ରାଜା ଅଭୟ ପ୍ରଦାନ କଲେ।
ଦ୍ବାରପାଳ ସେଇଠାରୁ କହିଲେ- ଆପଣଙ୍କ ମଧୢମ ପୁତ୍ର ହିଁ ରାଜା ହେବାକୁ ଯୋଗ୍ୟତମ।
ରାଜା କହିଲେ- ଏଭଳି କାହିଁକି ଭାବୁଛ କୁହ।
ଦ୍ବାରପାଳ କହିଲା- ମୁଖ୍ୟ ଦ୍ବାର ଦେଇ ରାଜକୁମାରମାନେ ପ୍ରବେଶ କଲା ବେଳେ ବା ପ୍ରସ୍ଥାନ କଲା ବେଳେ ମୁଁ ସେମାନଙ୍କୁ ଅଭିବାଦନ ଜଣାଇଥାଏ। ଏହା ମୋର ଦାୟିତ୍ବ ଓ ପ୍ରତି ଦିନର କାମ। ଏହାକୁ କେହି କେବେ ଦେଖନ୍ତି ନାହିଁ। କିନ୍ତୁ କେବଳ ମଧୢମ ରାଜକୁମାର ମୋ ଠାରେ ଅଟକି ମୋ ଅଭିବାଦନର ଉତ୍ତର ଦିଅନ୍ତି। ଅନେକ ସମୟରେ ମୋର ଦୁଃଖସୁଖ ବିଷୟରେ ପଚାରନ୍ତି।
ଏବେ ରାଜା କହିଲେ- ବୁଝି ପାରିଲି। ମଧ୍ୟମ ରାଜକୁମାର ହିଁ ଯୋଗ୍ୟତମ। ମୋତେ ଆଉ କିଛି ବୁଝାଇ କହିବାର ଆବଶ୍ୟକତା ନାହିଁ।

ସମ୍ବନ୍ଧିତ ଖବର