ଜଣେ ବ୍ୟକ୍ତି ପଚାରିଲେ ଯେ ସ୍ବର୍ଗ ଓ ନର୍କ ମଧ୍ୟରେ ପ୍ରଭେଦ କ’ଣ? ଏ କଥା ଶୁଣି ୟୁଜି‌େକ କହିଲେ ଗପଟିଏ।
ଥରେ ଗୋଟିଏ ଆତ୍ମା ନର୍କରେ ପହଞ୍ଚିଲା। ସେ ଦେଖିଲା ଯେ ସେଠାରେ କୁଣ୍ତ ଭର୍ତ୍ତି ଅମୃତ ଉଛୁଳୁଛି। ଥରେ ଅମୃତ ପାନ କରିଦେଲେ ସବୁ ଦିନ ଲାଗି ସ୍ବର୍ଗକୁ ଯାଇ ହେବ। ସେଥି ଲାଗି ଅମୃତ ଉଛୁଳା କୁଣ୍ଡ ପାଖରେ ଆତ୍ମାମାନଙ୍କ ଭିଡ଼ ଲାଗିଛି। କିନ୍ତୁ କେହି ହେଲେ ଅମୃତ ପିଇ ପାରୁ ନାହାନ୍ତି। କାରଣ ସେଠାରେ ଅମୃତ ପିଇବା ଲାଗି ଯେଉଁ ସୁବର୍ଣ୍ଣ ଚାମଚମାନ ରହିଛି, ତା’ର ବେଣ୍ଟ ଏତେ ଲମ୍ବା ଯେ ତହିଁରେ ଅମୃତ ଉଠାଇ ନିଜ ମୁହଁରେ ପୂରାଇବାର କୌଣସି ସମ୍ଭାବନା ନାହିଁ। ତେଣୁ ଆତ୍ମାଗୁଡ଼ିକ କେବଳ ଅମୃତ ଉଠାଇ ଆଣୁଛନ୍ତି, ‌େହଲେ ତାହା ପାଟିରେ ନ ପଶି ତଳେ ପଡ଼ିଯାଉଛି। ତେଣୁ କାହା ଭାଗ୍ୟରେ ଅମୃତ ଜୁଟୁ ନାହିଁ।
ଏହି ସମୟରେ ଚିତ୍ରଗୁପ୍ତ ପାଞ୍ଜି ଦେଖି କହିଲେ ଯେ ଏଇ ବାବୁଟି ଗୋଟିଏ ପୁଣ୍ୟ କରିଥିବାରୁ କିଛି କ୍ଷଣ ଲାଗି ଏହାର ସ୍ବର୍ଗ ଭୋଗ କରିବାର ଯୋଗ ଅଛି। ତେଣୁ ‌େସହି ଆତ୍ମା ସ୍ବର୍ଗ ଉଦ୍ଦେଶ୍ୟରେ ଗମନ କଲେ। ସ୍ବର୍ଗରେ ମଧ୍ୟ ସେହି ଦୃଶ୍ୟ। କୁଣ୍ଡରେ ଅମୃତ ରହିଛି। ବଡ଼ ବେଣ୍ଟବାଲା ଚାମଚମାନ ରହିଛି। କିନ୍ତୁ କୁଣ୍ଡ ପାଖରେ ଭିଡ଼ ନାହିଁ। କାରଣ ସମସ୍ତେ ଅମୃତ ପିଇ ସନ୍ତୁଷ୍ଟ ହୋଇ ଅଛନ୍ତି।
କିଛି କ୍ଷଣ ଲାଗି ଆତ୍ମା ସ୍ବର୍ଗରୁ ପୁଣି ନର୍କକୁ ଫେରିଲେ। ବାଟରେ ଦେବଦୂତଙ୍କୁ ପଚାରିଲେ- ସ୍ବର୍ଗରେ ଅମୃତ ପିଇବାକୁ ପ୍ରତିଦ୍ବନ୍ଦ୍ବିତା ନାହିଁ କାହିଁକି?
‌େଦବଦୂତ କହିଲେ- ସମସ୍ତେ ମନ ଭରି ଅମୃତ ପିଇ ସାରିଛନ୍ତି।
ଆତ୍ମା ପଚାରିଲେ- କିନ୍ତୁ ଲମ୍ବା ଚାମଚରେ ସେମାନେ ପିଇଲେ କେମିତି?
ଦେବଦୂତ କହିଲେ- ସେମାନେ ଜଣେ ଅପରକୁ ପିଆଇଦେଇ ସେହି କାମଟି କରିଛନ୍ତି।
ୟୁଜିକେ ଗପଟି କହିସାରି କହିଲେ ଏହି ଜ୍ଞାନ ଟିକକ ହିଁ ସ୍ବର୍ଗ ଓ ନର୍କ ଭିତରେ ପ୍ରଭେଦକୁ ଦେଖାଏ। ସ୍ବର୍ଗରେ ସମସ୍ତେ ପରସ୍ପର ପ୍ରତି ଶ୍ରଦ୍ଧାଶୀଳ ଓ ପରସ୍ପରର ସହଯୋଗୀ, ଅଥଚ ନର୍କରେ ସମ‌େସ୍ତ ସ୍ବାର୍ଥପର।