କଥାଟିଏ ଯାଯାବର, ସବୁ ଅସାର

ଜଣେ ଗୁରୁ ଆଦି ଶଙ୍କରାଚାର୍ଯ୍ୟ ଓ ତାଙ୍କ ତତ୍ତ୍ବ ବାବଦରେ ପ୍ରବଚନ ଦେଇ କହୁଥିଲେ ଯେ କେବଳ ବ୍ରହ୍ମ ସତ୍ୟ ଓ ଜଗତ୍‌ ମିଥ୍ୟା। ଏ ସଂସାର ଅସାର।
ଏହି ସମୟରେ ଜଣେ ବ୍ୟକ୍ତି ଊର୍ଦ୍ଧ୍ବ ଶ୍ବାସରେ ଦୌଡ଼ି ଦୌଡ଼ି ଆସି ଚିତ୍କାର କରି କହିଲା ଯେ ମତ୍ତ ହାତୀ ମାଡ଼ି ଆସୁଛି, ପ୍ରାଣ ଧରି ପଳାଅ।
ଏ କଥା ଶୁଣି ସେଠାରେ ସମବେତ ଲୋକମାନେ ଦୌଡ଼ି ପଳାଇବାକୁ ଉଦ୍ୟମ କରିବା ପୂର୍ବରୁ ପ୍ରବଚନ ଦେଉଥିବା ଗୁରୁ ମଞ୍ଚରୁ ଉଠି ଦୌଡ଼ିବାକୁ ଉଦ୍ୟମ କଲେ।
ଏହି ସମୟରେ ତାଙ୍କ ବାହୁକୁ ଧରି ପକାଇ ସେଠାରେ ଉପସ୍ଥିତ ଥିବା ଜଣେ ଉତ୍ସାହୀ ଯୁବକ କହିଲେ – ଆଜ୍ଞା, ଆପଣ ଦୌଡ଼ି ପଳାଇବାକୁ ବାହାରୁଛନ୍ତି କାହିଁକି? ଯଦି ବ୍ରହ୍ମ ଏକ ମାତ୍ର ସତ୍ୟ ଏବଂ ଜଗତ୍‌ ମିଥ୍ୟା। ତେବେ ଏ ହାତୀ ମଧ୍ୟ ଅସାର ଓ ମିଥ୍ୟା!
ତାଙ୍କ ହାତରୁ ନିଜ ବାହାକୁ ଛଡ଼ାଇ ‌େନଇ ଗୁରୁ କହିଲେ- ସେ କଥା ଛାଡ଼। ଟିକିଏ ବୁଦ୍ଧି ଅଛି ତ ଦୌଡ଼। ମୁଁ ମଧ୍ୟ ଜାଣେ ସବୁ ଅସାର। ଏବେ ବୁଝ ଯେ ମୁଁ ଦେଇଥିବା ପ୍ରବଚନ ମଧ୍ୟ ଅସାର। ଆହୁରି ବଡ଼ କଥା ହେଲା ତୁମକୁ ଆଉ ମୋତେ ଯାହା ଜଣା, ତାହା ହାତୀକୁ ଜଣା ନାହିଁ। ତେଣୁ ଭାଗ।
ଏହା ପରେ କ’ଣ ହେଲା ତାହା କହିବା ଅନାବଶ୍ୟକ।

ସମ୍ବନ୍ଧିତ ଖବର