କଥାଟିଏ ଯାଯାବର, ନିଆରା ବ୍ରାହ୍ମଣ

ଜଣେ ଧନୀ ଭଦ୍ରବ୍ୟକ୍ତି ଥିଲେ। ସେ ତାଙ୍କ ଗୃହରେ ଥିବା ଠାକୁରମାନଙ୍କ ପୂଜା ଲାଗି ଜଣେ ବ୍ରାହ୍ମଣଙ୍କୁ ନିୟୋଜିତ କରିଥିଲେ। କିନ୍ତୁ ସେହି ବ୍ରାହ୍ମଣଙ୍କୁ ନେଇ ସମସ୍ତଙ୍କ ମନରେ କେବଳ ଅଭିଯୋଗ ହିଁ ଥିଲା। କାରଣ ସେ ପୂଜାର ବିଧିବିଧାନ ବାବଦରେ ବି‌େଶଷ ଜାଣି ନ ଥିଲେ ବା ମନ୍ତ୍ର ଇତ୍ୟାଦି ବାବଦରେ ଜାଣି ନ ଥିଲେ। ତେବେ, ଧନିକ ତାଙ୍କୁ ଭଲ ପାରିଶ୍ରମିକ ଦେଉଥିଲେ। ସୁତରାଂ, ବ୍ରାହ୍ମଣଙ୍କୁ ତାଙ୍କ ପେଟପାଟଣା ଲାଗି ଆଉ ବାର ଦ୍ବାରକୁ ଯିବାକୁ ପଡୁ ନ ଥିଲା। ଦିନେ ସେହି ସହରର ଜଣେ ପ୍ରସିଦ୍ଧ ବ୍ରାହ୍ମଣ କହିଲେ- ଆଜ୍ଞା, ତାକୁ ତୁରନ୍ତ ପୂଜା କର୍ମରୁ ବାହାର କରନ୍ତୁ। ସେ ଗୋଟାଏ ନିକମା। ଅନେକ ଭଲ ବ୍ରାହ୍ମଣ ଅଛନ୍ତି, ଯେଉଁମାନେ ବିଧିବିଧାନ ସହିତ ଭଲ ପୂଜା କରିପାରିବେ।

ଧନିକ କହିଲେ- ଆପଣ ଯାହା କହିଲେ ତାହା ଠିକ ହୋଇପାରେ। କିନ୍ତୁ ଆପଣ ଥରେ ମୋ ସହିତ ଆସି ଦେଖନ୍ତୁ ‌େସ କେମିତି ପୂଜା କରୁଛନ୍ତି। ଏବେ ସେ ଏଠାରେ ଅଛନ୍ତି। ଚାଲନ୍ତୁ ଦେଖିବା।
ଉଭୟ ପୂଜା ଘର ଆଡ଼କୁ ଗଲେ। ସେମାନେ ଦେଖିଲେ ବ୍ରାହ୍ମଣ ଜଣକ ଠାକୁର ବିଗ୍ରହମାନଙ୍କୁ ଅତି ସ୍ନେହ‌େର ଗେହ୍ଲା କରୁଛନ୍ତି, ଫୁଲ ପିନ୍ଧାଉଛନ୍ତି, ଭୋଗରାଗ ଲାଗି ରହିଥିବା ପଦାର୍ଥ ତାଙ୍କ ମୁହଁରେ ଲଗାଇ ସରାଗରେ ଖୁଆଇ ଦେବାର ଚେଷ୍ଟା କରୁଛନ୍ତି। ଏହା ଦେଖି ବ୍ରାହ୍ମଣ ଜଣକ ଆଉ ସମ୍ଭାଳି ନ ପାରି କହି ଉଠିଲେ- କ’ଣ କରୁଛୁରେ ହତଭାଗା। ଠାକୁରମାନଙ୍କୁ କାହିଁକି ଏମିତି କଲବଲ କରୁଛୁ?
ଏହା ଶୁଣି ପୂଜା କରୁଥିବା ବ୍ରାହ୍ମଣ ପଛକୁ ଚାହିଁଦେଲେ। ତାଙ୍କ ଆଖିରୁ ସେତେବେଳକୁ ଧାର ଧାର ଲୁହ ବହି ଯାଉଥିଲା। ଧନିକ ଏହା ଦେଖି କହିଲେ- କର୍ମକାଣ୍ଡର ଜ୍ଞାନ ବ୍ରାହ୍ମଣ ମୋର ଲୋଡ଼ା ନାହିଁ। ମୁଁ ଚାହେଁ ଈଶ୍ବର ଏମିତି ଭାବରେ ପୂଜା ପାଆନ୍ତୁ, ଯେମିତି ପୂଜକ ତହିଁରେ ତଲ୍ଲୀନ ହୋଇ ଯାଉଥିବ, ଯେମିତି ୟେ ହେଉଛନ୍ତି।

ସମ୍ବନ୍ଧିତ ଖବର