ଦାଗ ସଫା ହେବାର କଥା

କଥାଟିଏ-ଯାଯାବର

ଗୋଟିଏ ପରିବାରର ଦୁଇ ଭାଇଙ୍କ ଭିତରେ ଅତି ସୁନ୍ଦର ଓ ଅନାବିଳ ସ˚ପର୍କ ଥିଲା। ଦୁହିଁଙ୍କ ଭିତରେ ପାଣି ଗଳୁ ନ ଥିଲା। ଦିନକର କଥା। ବଡ଼ ଭାଇ ଲାଗି ନୂଆ ପୋଷାକ ଆସିଲା। କିନ୍ତୁ ସେଇ ପୋଷାକଟି ସାନ ଭାଇକୁ ଏତେ ଭଲ ଲାଗିଲା ଯେ ତା ମନରେ ପ୍ରଥମ ଥର ଲାଗି ଈର୍ଷା ଜାତ ହେଲା। ବଡ଼ ଭାଇ ପୋଷାକଟି ପିନ୍ଧିଲା ଏବ˚ ତାକୁ ଦେଖିଲା ପରେ ସାନ ଭାଇର ମନରେ ଆହୁରି ଈର୍ଷା ହେଲା। ସେ ଦି‌େନ ରାତିରେ ବଡ଼ ଭାଇ ତା ପୋଷାକ ଖୋଲି ଦେଲା ପରେ ସାନ ଭାଇ ସେଥିରେ ଏକ ରଙ୍ଗ ବୋଳି ଦେଲା। ସେ ଭାବିଲା ଏହା ଫଳରେ ସେ ପୋଷାକଟି ଆଉ ପରିଧାନଯୋଗ୍ୟ ହୋଇ ରହିବ ନାହିଁ। କିନ୍ତୁ ତାର ଦୁର୍ଭାଗ୍ୟ ସେ ଯେତେ ଲୁଚେଇ ଏ କାମଟି କରିଥିଲେ ସୁଦ୍ଧା ତାହା ଘରର ଜଣେ ଭୃତ୍ୟ ଦେଖିପାରିଥିଲା। ସେ ଯାଇ କଥାଟି ପିଲା ଦ୍ବୟଙ୍କ ବାପାଙ୍କୁ କହିଦେଲା। ଏହା ଶୁଣି ବାପା ବଡ଼ ଭାଇକୁ ଡାକି କହିଲେ- ପୁଅ, ତୋର ପୋଷାକରେ ରଙ୍ଗ ଲାଗିଯାଇଛି। ତୁ ଶୀଘ୍ର ତାକୁ ଧୋଇଦେ। ତା’ ନ ହେଲେ ଦାଗ ରହିଯିବ। ବଡ଼ ପୁଅ ସାଙ୍ଗେ ସାଙ୍ଗେ ପୋଷାକକୁ ଧୋଇ ଦାଗ ସଫା କଲା।

ବାପା ସାନ ପୁଅକୁ ମଧୢ ଡାକି କହିଲେ- ପୁଅ ତୁମ ବଡ଼ ଭାଇର ପୋଷାକର କୌଣସି କ୍ଷତି ହେଲା ନାହିଁ। ତାକୁ ଧୋଇ ଦିଆଯିବାରୁ ଦାଗ ଛାଡ଼ିଗଲା। କିନ୍ତୁ ଥରେ ଭାବ ଯେ ତୁମ ମନରେ ଯେଉଁ ଦାଗ ସୃଷ୍ଟି ହେବାରୁ ତୁମେ ଏହି କାମଟି କଲ, ତାକୁ ସଫା କରାଯାଇ ପାରିବ ତ?
ଏହି କଥାରେ ସାନ ପୁଅର ଆଖିରୁ ଲୁହ ଝରିବାକୁ ଲାଗିଲା। ତାହା ଥିଲା ଅନୁତାପର ଅଶ୍ରୁ।
ଏହି ସମୟରେ ବଡ଼ ପୁଅ ପହଞ୍ଚି ଯାଇ ପଚାରିଲା- ବାପା ୟେ କାନ୍ଦୁଛି କାହିଁକି?
ବାପା କହିଲେ- ଇଏ ବି ଦାଗ ସଫା କରୁଛି।

ସମ୍ବନ୍ଧିତ ଖବର