ପରିଣତ ବୟସରେ ତପନ ବାବୁ ଓ ସପନ ବାବୁଙ୍କର ସାକ୍ଷାତ ହେଲା। ସହରର ପାର୍କ ଭିତରେ ଦୁହେଁ ବସି ସୁଖଦୁଃଖ ହେଲେ। ଅନେକ ବର୍ଷ ହେଲା ପରସ୍ପର ସହିତ ସ˚ପର୍କ ନ ଥିବାରୁ ସେମାନେ ଅନେକ ବେଳ ଯାଏ ଗପିଲେ। କଥା ପ୍ରସଙ୍ଗରେ ପିଲାମାନଙ୍କ କଥା ପଡ଼ିଲା। 
ସପନ ବାବୁ ପଚାରିଲେ- ମୋର ଯାହା ମନେ ପଡୁଛି ତୁମର ଗୋଟିଏ ମାତ୍ର ପୁଅ। ସେ ଏବେ କେଉଁଠି?
ତପନ ବାବୁ କହିଲେ- ହଁ ତୁମ ଭଳି ମୋର ବି ଗୋଟିଏ ପୁଅ। ହେଲେ, ସେ ଏବେ ବହୁ ଦୂରରେ। ଆମେରିକାର ବୋଷ୍ଟନରେ ରହୁଛି। ଆଜିକୁ ଦଶ ବର୍ଷ ହେଲା ସେ ଆସିନାହିଁ। ତା’ର ସେଠି କାମ ଜୋର, ବହୁତ ବ୍ୟସ୍ତ। ବରାବର ଫୋନ କରୁଛି ଏବ˚ କହୁଛି କାମରୁ ଫୁରସତ ପାଇଲେ ଆସିବ। କିନ୍ତୁ କାମରୁ ଫୁରସତ ମିଳୁନାହିଁ। 
ତା’ପରେ ତପନ ବାବୁ ଟିକିଏ ନିରବ ରହି ପଚାରିଲେ- ଆଉ ତୁମ ପୁଅ?
ସପନ ବାବୁ ଦୀର୍ଘଶ୍ବାସ ପକାଇ କହିଲେ- ମୋ ପୁଅ! ସେ ତୁମ ପୁଅ ଠାରୁ ଆହୁରି ଦୂରରେ। ଏତେ ଦୂରରେ ଯେ କହିଲେ ନ ସରେ!
ତପନ ବାବୁ କହିଲେ- କିନ୍ତୁ ତୁମେ ପରା କହୁଥିଲ ଯେ ତୁମ ପୁଅବୋହୂ ତୁମ ଘରର ଉପର ମହଲାରେ ରହୁଛନ୍ତି ବୋଲି!
ସପନ ବାବୁ କହିଲେ- ସେଇଟା ତ ବିଡ଼ମ୍ବନା! ସେ ଉପର ମହଲାରେ ରହୁଛି ଅଥଚ ଆମ ସହିତ ଚାରି ବର୍ଷ ହେଲା କଥାବାର୍ତ୍ତା କରୁନାହିଁ। ଆମେ ଅଛୁ କି ମଲୁଣି ତାହା ବୁଝେନାହିଁ। ଗୋଟିଏ ଘରେ ଆମେ ଅପରିଚିତଙ୍କ ଭଳି ରହିଛୁ। ତୁମେ ବୁଝିପାରିବ ନାହିଁ, ହେଲେ ମୁଁ ବୁଝୁଛି ଯେ ଜାଗା ଅଲଗା ହୋଇଗଲେ ଦୂରତା ବଢ଼ିଯାଏ ନାହିଁ। ଦୂରତା ବଢ଼େ ଦୂରେଇ ଗଲେ। ତୁମ ପୁଅ ତ ତୁମ ସହିତ କଥା ହେଉଛି, ମୋ ଭାଗ୍ୟରେ ସେତିକି ନାହିଁ। 
ସପନ ବାବୁ ଏହା କହିଲା ବେଳକୁ କାନ୍ଦି ପକାଇଥିଲେ।