ଦାର୍ଶନିକ ଏଡମଣ୍ଡ ବର୍କ୍ ଚର୍ଚ୍ଚରେ ପାଦ୍ରିଙ୍କ ଭାଷଣରେ ଶୁଣିଲେ ଯେ ପୁଣ୍ୟାତ୍ମା ଓ ପରମେଶ୍ବରଙ୍କୁ ଡାକୁଥିବା ଲୋକେ ସ୍ବର୍ଗକୁ ଯାଆନ୍ତି।
ବର୍କ ସାଙ୍ଗେସାଙ୍ଗେ ପଚାରିଲେ- ଯଦି ଜଣେ ପୁଣ୍ୟାତ୍ମା ପରମେଶ୍ବରଙ୍କୁ ଡାକୁ ନ ଥିବ- ଯେମିତି ସେକ୍ରଟିସ୍ ବା ଭାରତର ଗୌତମବୁଦ୍ଧ- ତେବେ ସେମାନଙ୍କ ଲାଗି କି ବ୍ୟବସ୍ଥା ରହିଛି? ସେମିତି ଅହରହ ଈଶ୍ବରଙ୍କ ନାମ ନେଉଥିବା ଦୁଷ୍ଟାତ୍ମାମାନେ କେଉଁଠାକୁ ଯିବେ?
ପ୍ରଶ୍ନ ଥିଲା ନିତାନ୍ତ ପ୍ରାସଙ୍ଗିକ। କିନ୍ତୁ ତାର ଉତ୍ତର ପାଦ୍ରିଙ୍କ ପାଖରେ ନ ଥିଲା। େସ କହିଲେ- କାଲି ଉତ୍ତର ଦେବି।
ଉତ୍ତର ବାବଦେର ଗଭୀର ଭାବେ ଚିନ୍ତା କରୁ କରୁ ପାଦ୍ରି ମହାଶୟ ଶୋଇପଡ଼ିଲେ ଏବଂ ବିଚିତ୍ର ସ୍ବପ୍ନଟିଏ ଦେଖିେଲ। ସେଥିରେ ସେ ଦେଖିଲେ ଯେ ସେ ନର୍କକୁ ଯାଇଛନ୍ତି। କିନ୍ତୁ ସେ ନର୍କକୁ ଯେମିତି ଜାଣିଥିଲେ, ତାହା େସମିତି ନ ଥିଲା। ନର୍କଟି ଆନନ୍ଦ ଓ ମହୋତ୍ସବରେ ଭରପୂର ଥିଲା। ଚମତ୍କାର ପରିବେଶ ଥିଲା। ସେ ଚକିତ ହୋଇଗଲେ। ଏହା କେମିତି ସମ୍ଭବ? ସେ ସେଠାରେ ଜଣକୁ ପଚାରିଲେ- ଏହା କ’ଣ ନର୍କ? ଯଦି ହଁ ତେବେ ଏଭଳି କେମିତି?
ତାଙ୍କୁ ଉତ୍ତର ମିଳିଲା- ଏଠି ପରା ସକ୍ରେଟିସ୍ ଓ ବୁଦ୍ଧ ଅଛନ୍ତି, ସେଥି ଲାଗି!
ପାଦ୍ରି ମହାଶୟଙ୍କ ନିଦ ଭାଙ୍ଗିଗଲା ଓ ସେ ଉତ୍ତରଟି ପାଇଗଲେ।
ପର ଦିନ ସେ ବର୍କ୍ଙ୍କୁ କହିଲେ- ପରମେଶ୍ବରଙ୍କୁ ବିଶ୍ବାସ କରୁ ନ ଥିବା ପୁଣ୍ୟାତ୍ମାମାନେ ନର୍କକୁ ଯାଆନ୍ତୁ ବା ସ୍ବର୍ଗକୁ; କିଛି ଫରକ ପଡ଼େନାହିଁ। କାରଣ ସେମାନେ ନର୍କକୁ ସ୍ବର୍ଗରେ ପରିଣତ କରିଦିଅନ୍ତି। ଆଉ ଈଶ୍ବରଙ୍କୁ ସର୍ବଦା ଡାକୁଥିବା ଦୁଷ୍ଟାତ୍ମାମାନେ ସ୍ବର୍ଗକୁ ଗଲେ ତାକୁ ନର୍କରେ ପରିଣତ କରିଦେବେ।