ଯୋଗ୍ୟତମ ଶିଷ୍ୟ

କଥାଟିଏ-ଯାଯାବର

ଜଣେ ଜେନ୍‌ ଗୁରୁ ଏମିତି ଶିଷ୍ୟ ଖୋଜୁଥିଲେ, ଯିଏ ଯୋଗ୍ୟତମ ହୋଇଥିବ। ତାଙ୍କ ପାଖକୁ ଜଣେ ଯୁବକ ଆସି ଶିଷ୍ୟ ହେବାକୁ ଚାହିଲା। ସେ ଦିନ ଗୁରୁଙ୍କ ମନ ଭଲ ନ ଥିଲା। ତେଣୁ ସେ ବିରକ୍ତିଭରା କଣ୍ଠରେ ଯୁବକକୁ କହିଲେ- ଏବେ ଏଠୁ ପଳା।
ସୁତରାଂ, ଯୁବକ ବୁଲି ପଡ଼ି ପଳାଇ ଗଲା। କିନ୍ତୁ ସେ କୁଆଡ଼େ ଗଲା? କୌଣସି ଦିଗ ବା ଗନ୍ତବ୍ୟ ତାର ନ ଥିଲା। ସେ କେବଳ ଆଗକୁ ବଢ଼ିଲା।
ଅ‌େନକ ବର୍ଷ ବିତିଗଲା। ପୃଥିବୀ ଯେ ଗୋଲ ତାହା ପ୍ରମାଣିତ କଲା ଭଳି ସେହି ଯୁବକ ଓ ଗୁରୁଙ୍କ ଭିତରେ ପୁଣି ଭେଟ ହୋଇଗଲା। ଗୁରୁଙ୍କ ଭିତରେ ବିଶେଷ ପରିବର୍ତ୍ତନ ହୋଇ ନ ଥିଲା, କିନ୍ତୁ ଯୁବକଟି ଦିଶୁଥିଲା ପାଗଳ ଭଳି। ଯୁବକ ସିନା ଗୁରୁଙ୍କୁ ଚିହ୍ନିପାରିଲା, ଗୁରୁ ତାକୁ ଚିହ୍ନିବାର ପ୍ରଶ୍ନ ନ ଥିଲା। ତେବେ ଯୁବକ ତାଙ୍କୁ ପୁରୁଣା କଥା ମନେ ପକାଇ ଦେବାରୁ ସେ ହଠାତ୍ ତାହା ମନେ ପକାଇ ତଟସ୍ଥ ହୋଇ ପଚାରିଲେ- ତା’ ମାନେ ମୁଁ ପଳା ବୋଲି କହିଲି ଯେ ପଳାଇ ଗଲ! ହେଲେ କୁଆଡ଼େ ଗଲ?
ଯୁବକ କହିଲା- ନାକ ସିଧା। ଆପଣଙ୍କ ଆଦେଶ ଶିରୋଧାର୍ଯ୍ୟ କରି ଚାଲିଲି ଯେ ଏ ପର୍ଯ୍ୟନ୍ତ ଚାଲିଛି। ତେବେ, ମୋର ଏହି ଯାତ୍ରା ଭିତରେ ମୁଁ ବୁଝି ପାରିଛି ଯେ ଆପଣ ହିଁ ଶ୍ରେଷ୍ଠତମ ଗୁରୁ। କାରଣ ଆପଣଙ୍କ ଏହି ଆଦେଶ ଟିକକ ମୋତେ ଏମିତି ଭାବେ ତିଆରି କରି ଦେଇଛି, ଯାହା ଅନ୍ୟ କୌଣସି ପ୍ରକାରେ ସମ୍ଭବ ନୁହେଁ। ମୁଁ ଏଥିରୁ ଯାହା ଶିଖିଛି, କୌଣସି ବହି ତାହା ଶିଖାନ୍ତା ନାହିଁ।
ଗୁରୁ ଏହା ଶୁଣି ଯୁବକର ହାତକୁ ଧରି ପକାଇ କହିଲେ- ତୁମେ ପ୍ରକୃତରେ ଯୋଗ୍ୟତମ ଶିଷ୍ୟ ଯାହାକୁ ମୁଁ ଖୋଜୁଥିଲି। ଜଣେ ଗୁରୁଙ୍କୁ ମାର୍ଗ ଦେଖାଇବା ଭଳି କ୍ଷମତା ତୁମର ଅଛି।

ସମ୍ବନ୍ଧିତ ଖବର