ମୁଲ୍ଲା ନସିରୁଦ୍ଦିନଙ୍କ ଗାଁରେ ଥିଲେ ଜଣେ ବଡ଼ ବ୍ୟବସାୟୀ। ତାଙ୍କର ନିକଟତମ କର୍ମଚାରୀଜଣକ ବ୍ୟବସାୟୀଙ୍କ ବିଶ୍ବାସର ସୁଯୋଗ ନେଇ ଟଙ୍କା ବାଟମାରଣା କରି ଗାଁ ବାହାରେ ନିଜ ଲାଗି ବିରାଟ ଅଟ୍ଟାଳିକା, ବିସ୍ତୃତ ଜାଗାବାଡ଼ି ଓ ପତ୍ନୀ ଲାଗି ସମୁଦ୍ର କୂଳରେ ସୁନ୍ଦର ଘରଟିଏ ତିଆରି କଲା।
ତେବେ ଦିନେ ଏହି ଚୋରି କଥା ବ୍ୟବସାୟୀଙ୍କ କାନରେ ପଡ଼ିଲା। ସେ ବାକ୍ହତ ହୋଇଗଲେ। ତୁରନ୍ତ ସେ ତାକୁ ଡାକି କହିଲେ- ତୁମେ ମୋ ସହିତ ଏଭଳି ବିଶ୍ବାସଘାତକତା କରିବ ବୋଲି ମୁଁ କେବେ ହେଲେ ଭାବି ନ ଥିଲି। ତୁମର ଏତେ ବର୍ଷର ସେବାକୁ ମନେ ପକାଇ ମୁଁ ତୁମକୁ ଛାଡ଼ି ଦେଉଛି। ତେବେ, ତୁମେ ଆଜିଠାରୁ ଏଠାରୁ ଚାଲିଯାଅ। ତୁମର ଓ ମୋର ବାଟ ଆଜିଠାରୁ ଅଲଗା।
ଏ କଥାଟି ବିଷୟରେ ମୁଲ୍ଲା ଶୁଣିଲେ। ବ୍ୟବସାୟୀ ଜଣକ ଥିଲେ ମୁଲ୍ଲାଙ୍କ ବନ୍ଧୁ। ସେ ବ୍ୟବସାୟୀଙ୍କ ନିକଟକୁ ଯାଇ କହିଲେ- ତୁମେ ଏ କି ନିଷ୍ପତ୍ତି ନେଲ? ଶୀଘ୍ର ତାକୁ ଡାକି କାମରେ ରଖ।
ବ୍ୟବସାୟୀ ବିସ୍ମିତ ହୋଇ କହିଲେ- ନସିରୁଦ୍ଦିନ, ତୁମ ମୁଣ୍ତ ଖରାପ ହୋଇଗଲାଣି ବୋଧହୁଏ।
ମୁଲ୍ଲା କହିଲେ- ତୁମେ ବୁଝିପାରୁନାହଁ। ତୁମ ନିଜ ଗୁଣ ହେତୁ ତୁମ ନିକଟତମ କର୍ମଚାରୀ ତୁମକୁ ଏତେ ବାଟ ଠକି ଗଲା। ତୁମେ ଜାଣିପାରିଲ ନାହିଁ। ଏବେ ତୁମେ ଆଉ ଯାହାକୁ ତା ଜାଗାରେ ରଖିବ ସେ ବି ଠକି ଚାଲିବ। ତୁମେ ତାହା ବି ଜାଣିପାରିବ ନାହିଁ। କେବଳ ଏତିକି ଫରକ, ତୁମ ପୁରୁଣା ଲୋକଟି ସବୁ କିଛି କରିସାରିଲାଣି। ଏବେ ତାର ତୃଷା କମିଯିବଣି। କିନ୍ତୁ ତୁମେ ଯେଉଁ ନୂଆ ଲୋକ ରଖିବ ସେ ବି ତା ପାଇଁ ଅଟ୍ଟାଳିକା, ପିଲାମାନଙ୍କ ଲାଗି ଜମିବାଡ଼ି ଓ ସ୍ତ୍ରୀ ଲାଗି ସମୁଦ୍ର କୂଳରେ ଘରଟିଏ ତିଆରି କଲାବେଳକୁ ତୁମର ଭେକାଳ ବୁଡ଼ିଯାଇଥିବ!