ମୁଲ୍ଲା ନସିରୁଦ୍ଦିନ ଥିଲେ ରାଜଧାନୀର ଏକମାତ୍ର ଦରିଦ୍ର। ଏହାର କାରଣ ରୂ‌େପ ଲୋକେ କହୁଥିଲେ ଯେ ମୁଲ୍ଲା ହେଉଛନ୍ତି ଓଲଟା ଲୋକ। ଦର ଉଚ୍ଚା ଥିବାରୁ ଲୋକେ ବଜାରରେ ଜିନିଷ ବିକୁଥିଲା ବେଳେ ମୁଲ୍ଲା କିଣୁଥିଲେ ବା ଦର ନୀଚା ଥିବା ଥାଇ ଲୋକେ କିଣାକିଣି କରୁଥିବା ବେଳେ ସେ ବିକୁଥିଲେ।

Advertisment

ରାଜା ଦିନେ ମୁଲ୍ଲାଙ୍କୁ କହିଲେ- ମୁଲ୍ଲା, କେତେ ଦିନ ଏମିତି ଓଲଟା ବୁଦ୍ଧି ପାଇଁ ଦରିଦ୍ର ହୋଇ ରହିବ।

ମୁଲ୍ଲା କହିଲେ- ଜାହାଁପନା, ମୋ ବୁଦ୍ଧିଫୁଦ୍ଧି କଥା ବେକାର। ଯାହା ଘଟିବାର ଅଛି, ଘଟୁଛି। ମୁଁ କିଏ?

ଏବେ ରାଜା ମନ୍ତ୍ରୀଙ୍କୁ କହିଲେ ମୁଲ୍ଲାର ଧାରଣା ବଦଳାଇବାକୁ ହେବ। ଗୋଟିଏ କାମ କରିବା। ମୁଲ୍ଲା ଘରେ ପହଞ୍ଚିବା ପୂର୍ବରୁ ଯେଉଁ ପୋଲଟି ପଡ଼େ, ସେଥିରେ ଆଜି ସଂଧ୍ୟାରେ ମୁଲ୍ଲା ଘରକୁ ଫେରିବା ପୂର୍ବରୁ ଲୋକବାକଙ୍କ ଚଳପ୍ରଚଳ ବନ୍ଦ କରିଦିଅ। ପୋଲ ମଝିରେ ବଡ଼ ହଣ୍ଡାରେ ସୁନା ଅସରପି ଭର୍ତ୍ତି କରି ଥୋଇ ଦିଅ। ମୁଲ୍ଲା ପୋଲ ପାର କଲା ବେଳେ ତାହା ଦେଖିବାକୁ ବାଧ୍ୟ। ଦେଖିବା ମୁଲ୍ଲାର ଗରିବୀ ବଦଳିବ ନାହିଁ କେମିତି?

ସଂଧ୍ୟାରେ ରାଜା ଓ ମନ୍ତ୍ରୀ ପୋଲ ଆର ପଟେ ଜଗି ବସିଲେ। ମୁଲ୍ଲା ପହଞ୍ଚିଲେ। କିନ୍ତୁ ଏ କ’ଣ? ପୋଲରେ ପାଦ ଦେବା ଠିକ୍‌ ପୂର୍ବରୁ ମୁଲ୍ଲା ଆଖି ବୁଜି ଦେଲେ। ସେମିତି ଆଖି ବୁଜି ପୋଲ ପାର କରି ଚାଲି ଗଲେ, ହଣ୍ଡାକୁ ଦେଖି ପାରିଲେ ନାହିଁ।

ରାଜା ଚକିତ। ମୁଲ୍ଲାଙ୍କୁ ଧରି ପକାଇ ପଚାରିଲେ- ମୁଲ୍ଲା, ଆଖି ବନ୍ଦ କଲ କାହିଁକି?

ମୁଲ୍ଲା କହିଲେ- ଜାହାଁପନା, ଭାରି ଇଚ୍ଛା ଥିଲା ଥରେ ଆଖି ବୁଜି ପୋଲକୁ ପାର କରନ୍ତି। ସବୁ ଦିନେ ତ ଗହଳି ଥାଏ, ତେଣୁ ଡର ଲାଗେ। ଆଜି ପୋଲ ଖାଲି ଥିଲା, ତେଣୁ ମଉକା ମିଳିଛି ଭାବି ଆଖି ବୁଜି ପୋଲ ପାର କଲି।