ମୃତ୍ୟୁ କାହିଁକି ଅଛି?
କଥାଟିଏ - ଯାଯାବର
ଜଣେ ରାଜା ଥିଲେ। ଅମର ହେବା ତଥା ଅଖଣ୍ତ ଯୌବନର ଅଧିକାରୀ ହେବା ଥିଲା ତାଙ୍କର ସବୁଠାରୁ ବଡ଼ ଅଭିଳାଷ। ଥରେ ସେ ଭେଟିଲେ ଜଣେ ସନ୍ନ୍ୟାସୀଙ୍କୁ। ସନ୍ନ୍ୟାସୀ ଜଣକ ଥିଲେ ଜଣେ ଅସାଧାରଣ ପୁରୁଷ। ରାଜା ନିଜ ଅଭିଳାଷ ବିଷୟରେ ସନ୍ନ୍ୟାସୀଙ୍କୁ କହିଲେ। ସନ୍ନ୍ୟାସୀ କହିଲେ- ଅମରତ୍ବ ପ୍ରାପ୍ତି? ଅଖଣ୍ତ ଯୌବନ? ଆଉ ଥରେ ଚିନ୍ତା କରି କୁହ।
ରାଜା କିନ୍ତୁ ଥିଲେ ସେହି ଗୋଟିଏ ଜିଦିରେ।
Sambad is now on WhatsApp
Join and get latest news updates delivered to you via WhatsApp
ତେଣୁ ସନ୍ନ୍ୟାସୀ ରାଜାଙ୍କୁ କହିଲେ- ତାହା ହେଲେ ମୋ ସାଙ୍ଗରେ ଆସ। ଏହା କହି ସନ୍ନ୍ୟାସୀ ରାଜାଙ୍କୁ ଏଭଳି ଏକ ସ୍ଥାନକୁ ନେଇଗଲେ, ଯେଉଁଠି ଜଣେ ସୁଦର୍ଶନ ପରୁଷ ଛାତିରେ ହାତ ପିଟି କାନ୍ଦୁଥିଲେ। କିନ୍ତୁ ତାଙ୍କ କ୍ରନ୍ଦନର ସ୍ବର କାହାକୁ ଶୁଭୁ ନ ଥିଲା।
ରାଜା ପଚାରିଲେ- ମହାତ୍ମା, ୟେ କିଏ?
ସନ୍ନ୍ୟାସୀ କହିଲେ- ୟେ ତୁମ ଭଳି ଜଣେ ମୂଢ଼ମତି। ଏହି ବ୍ୟକ୍ତି ତପସ୍ୟା କରି ଅମରତ୍ବ ଏବଂ ଅଖଣ୍ଡ େଯୗବନ ଲାଭ କଲା ବେଳେ ହୃଦୟଙ୍ଗମ କରି ପାରି ନ ଥିଲେ ଯେ ତାହା କିଭଳି ଏକ ଅଭିଶାପ ହୋଇପାରେ। କାରଣ ତାଙ୍କ ସମ୍ମୁଖରେ ତାଙ୍କ ପୁତ୍ର, କନ୍ୟା ଓ ପୌତ୍ର ଆଦି ଜଣ ଜଣ କରି ଜରାଗ୍ରସ୍ତ ହୋଇ ଚାଲିଗଲେ। ସେ ବୁଝି ପାରି ନ ଥିଲେ ଯେ ଦିନେ ସେ ସଂପୂର୍ଣ୍ଣ ଭାବେ ବନ୍ଧୁ ଓ କୁଟୁମ୍ବହୀନ ହୋଇଯିବେ। ସେ ସେଭଳି ହୋଇଗଲେ। ଏବେ ସେହି ଅବସ୍ଥାରେ ସେ ଚିରନ୍ତନ ଭାବେ କ୍ରନ୍ଦନ ରତ।
ରାଜା ଏବେ ଟିକିଏ ଭାବିଲେ। ତା ପରେ ସେ କହିଲେ- ମହାତ୍ମା, ଏବେ ମୁଁ ଭାବୁଛି ଭଗବାନ ମୃତ୍ୟୁ ଭଳି ଚିଜଟିଏ କାହିଁକି ରଖିଛନ୍ତି।