ଭଦ୍ରଲୋକ ଅଫିସରୁ ଫେରିବା ବେଳେ ପୁରୁଣା ବନ୍ଧୁଙ୍କ ସହିତ ଭେଟ ହୋଇଗଲା। ବନ୍ଧୁ କହିଲେ- ବହୁ ଦିନ ପରେ ଦେଖା ହେଲା, ଚାଲ ଟିକିଏ ଗମାତ କରିବା। ଭଦ୍ରଲୋକ କଥାକୁ ଏଡ଼ି ପାରିଲେ ନାହିଁ। ଦୁଇ ବନ୍ଧୁ ଗୋଟିଏ ବାର‌୍‌ରେ ପଶିଲେ ଏବ˚ ମଦ ପିଇଲେ। ଭଦ୍ରଲୋକଙ୍କ ପତ୍ନୀ ମଦ୍ୟପାନକୁ ପ୍ରବଳ ଘୃଣା କରୁଥିବାରୁ ଭଦ୍ରଲୋକ ମଧୢ ମଦର ପାଖ ମାଡ଼ୁ ନ ଥିଲେ। କିନ୍ତୁ ସେ ଦିନ ସେ ବହକି ଗଲେ। ଘରକୁ ଫେରିବା ବେଳେ ସେ ଭାବିଲେ- ମଦ ପିଇଛି ବୋଲି ଜଣାପଡ଼ିଗଲେ ଅସୁବିଧା ହେବ। ତେଣୁ ସେ ବାସନା ପାନ କିଣି ପାଟିରେ ପୂରାଇଲେ ଏବ˚ ଯଥାସମ୍ଭବ ପ୍ରକୃତିସ୍ଥ ରହିବାକୁ ଚେଷ୍ଟା କରି ଘରେ ପହଞ୍ଚିଲେ।

Advertisment

ସବୁ ଦିନ ଭଳି ପତ୍ନୀ କବାଟ ଖୋଲିଲେ। ଭଦ୍ରଲୋକ କହିଲେ- ଆଜି ଶୀଘ୍ର କାମ ସରିଥିଲା। ଶୀଘ୍ର ଘରେ ପହଞ୍ଚି ଥାଆନ୍ତି। ହେଲେ କ’ଣ କରିବି, ଅଫିସରେ ମୋର ଜଣେ ବନ୍ଧୁ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଲେ। ତେଣୁ ତାଙ୍କୁ ନେଇ ଡାକ୍ତରଖାନା ଯିବାକୁ ହେଲା। ସେଇ କାମ ସାରି ଆସିବା ବେଳକୁ ଡେରି ହୋଇଗଲା। ଏହା କହି ଭଦ୍ରବ୍ୟକ୍ତି ଧୁଆଧୋଇ ହେବାକୁ ଗାଧୁଆ ଘରେ ପଶିଗଲେ। ସେ ମନେ ମନେ ଖୁସି ହେଲେ ଯାହା ହେଉ ଭଲ ଅଭିନୟ କରିପାରିଲି। କିଛି ଜଣାପଡ଼ିଲା ନାହିଁ।

ଖାଇ ସାରିବା ପରେ ଭଦ୍ରବ୍ୟକ୍ତି ଶୋଇବାକୁ ଗଲା ବେଳେ ପତ୍ନୀ କହିଲେ- ତୁମେ ଅନେକ ଥର ଅଫିସରୁ ଡେରିରେ ଆସ। ମୁଁ କିଛି ପଚାରେ ନାହିଁ କି ତୁମେ କିଛି କୁହନାହିଁ। ବିଶ୍ବାସ ଥିଲେ ଶବ୍ଦ ଲୋଡ଼ା ପଡ଼େନାହିଁ। କିନ୍ତୁ ଆଜି ତୁମେ ତୁମ ବିଳମ୍ବର କାରଣ ଦର୍ଶାଇବା ଲାଗି ଏତେ ଗୁଡ଼ାଏ ଶବ୍ଦ ଯୋଡ଼ି ପ୍ରାୟ ଗୋଟିଏ ଗଳ୍ପ ଶୁଣାଇଦେଲ। ସେଥିଲାଗି ମୁଁ ଜାଣିପାରିଲି ଯେ ତୁମେ ମିଛ କହୁଛ। କିଛି କହି ନ ଥିଲେ ଚଳିଥାଆନ୍ତା।