ସଂଗୀତ ଶୁଣା

କଥାଟିଏ - ଯାଯାବର

ଜଣେ ମହାନ ସଂଗୀତଜ୍ଞ ଥିଲେ। ସେ ଥରେ ରାଜଦରବାରରେ ଗୀତ ଗାଆନ୍ତୁ ବୋଲି ରାଜା ଚାହିଁଲେ। କିନ୍ତୁ ରାଜାଙ୍କ ଥାଟବାଟ ଆଦିରୁ ସଂଗୀତଜ୍ଞ ବହୁତ ଦୂରରେ ଥିବାରୁ ସେ ମନା କଲେ। କିନ୍ତୁ ରାଜା ବହୁତ ଅନୁରୋଧ କଲେ। ସୁତରାଂ, ସଂଗୀତଜ୍ଞ ରାଜି ହେଲେ, କିନ୍ତୁ କହିଲେ- ମୁଁ ଗୋଟିଏ ସର୍ତ୍ତରେ ଗୀତ ଗାଇବି। ଗୀତ ଗାଉଥିବା ବେଳେ ଯଦି କାହାର ମୁଣ୍ଡ ଟିକିଏ ବି ହଲିବା ମୁଁ ଲକ୍ଷ୍ୟ କରେ, ତେବେ ମୁଁ ଗୀତ ଛାଡ଼ି ଚାଲିଯିବି।

ରାଜା କହିଲେ- ରାଜି। ଆପଣ ଗାଆନ୍ତୁ।

ତା ପର ଦିନ ରାଜା ଘୋଷଣା କରାଇ ଦେଲେ ଯେ ସଂଗୀତଜ୍ଞ ଗୀତ ଗାଇବେ। ଯିଏ ଶୁଣିବାକୁ ଚାହୁଁଛନ୍ତି, ଆସନ୍ତୁ। କିନ୍ତୁ ମୁଣ୍ଡ ଯେମିତି ନ ‌ହଲେ। ଯଦି ମୁଣ୍ଡ ହଲିଲା, ଜାଣ ତା କାନ୍ଧ ଉପରୁ ମୁଣ୍ଡଟି ଗଲା। ତେଣୁ ସାଧୁ ସାବଧାନ!

କହିବା ବାହୁଲ୍ୟ, ପର ଦିନ ଗାୟକ ଆସିଲେ। କିନ୍ତୁ ଶୁଣିବା ଲାଗି କୌଣସି ବ୍ୟକ୍ତି ନ ଥିଲେ। କେବଳ ରାଜା ଥିଲେ। ଗାୟକ ଗାଇବା ଆରମ୍ଭ କଲେ। ରାଜା ମଧ୍ୟ ନିଜ ମୁଣ୍ଡ ନ ଗଡ଼ିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କରି ସଫଳ ହେଲେ। ସଂଗୀତଜ୍ଞ ପୂରା ଗୀତଟି ଗାଇ ବିଦାୟ ନେଲେ।

ବିଦାୟ ନେଲା ବେଳେ ରାଜାଙ୍କୁ ପଚାରିଲେ- ସଂଗୀତ କେମିତି ଲାଗିଲା ମହାରାଜ?

ରାଜା କହିଲେ- ମୁଁ ମୁଣ୍ଡକୁ ସମ୍ଭାଳୁ ଥିଲି। ତେଣୁ ଗୀତ ଶୁଣି ପାରିନାହିଁ ମହାନୁଭବ। ଆପଣ ଯାଇ ପାରନ୍ତି।

ସମ୍ବନ୍ଧିତ ଖବର