ଚୈତନ୍ୟ ଉଦୟ

କଥାଟିଏ - ଯାଯାବର

ରାଜକୁମାର ଥରେ ବନ୍ଧୁମାନଙ୍କ ସହିତ ବୁଲିବାକୁ ଯାଇଥିଲେ। ବୁଲୁ ବୁଲୁ ସେମାନେ ଏମିତି ଏକ ନିକାଞ୍ଚନ ସ୍ଥାନକୁ ଆସିଗଲେ, ଯେଉଁଠାରେ ଜନମାନବର ଚିହ୍ନବର୍ଣ୍ଣ ନ ଥିଲା। ସେତେବେଳକୁ ରାଜକୁମାରଙ୍କ ତଣ୍ଟି ଶୋଷରେ ଫାଟି ପଡୁଥାଏ। ସେମାନେ ବିକଳ ହୋଇ ଏଣେ ତେଣେ ଖୋଜିଲା ବେଳକୁ ଦିଶିଲା ଗୋଟିଏ କୁଡ଼ିଆ। କୁଡ଼ିଆରେ ଜଣେ ସାଧୁ ଥିଲେ।

ରାଜକୁମାର ସେଠାରେ ପହଞ୍ଚି ଘୋଡ଼ା ପିଠି ଉପରୁ ଚିତ୍କାର କଲେ- ଘରେ କିଏ ଅଛ, ଏଠି ମୋତେ ପାଣି ଦେଇ ଯାଅ। ମୁଁ ତୁମ ରାଜ୍ୟର ରାଜକୁମାର।

କୁଡ଼ିଆ ଭିତରୁ ସାଧୁ ବାହାରି ଆସି ନମ୍ର ଭାବେ କହିଲେ- ମୁଁ ସମସ୍ତଙ୍କୁ ପାଣି ଦେବି, କିନ୍ତୁ ମିଥ୍ୟାବାଦୀକୁ ନୁହେଁ।

ଉଦ୍ଧତ ରାଜକୁମାର କିଛି ବୁଝି ନ ପାରି କହିଲେ- ମୁଁ ମିଥ୍ୟାବାଦୀ? ମୁଁ ଚାହିଁଲେ ବାପାଙ୍କୁ କହି ତୁମକୁ ଦଣ୍ତ ଦେଇପାରିବି। ମୋ ଏ ରାଜକୀୟ ଘୋଡ଼ା, ମୋ ବେଶ ପୋଷାକ ଓ ମୋ ଅଳଙ୍କାରରୁ ତୁମେ କିଛି ବୁଝିପାରୁନାହଁ?

ସାଧୁ କହିଲେ- ତୁମେ ଯାହା ସବୁ କହିଗଲ ତାହା କ’ଣ ତୁମେ ରାଜକୁମାର ହୋଇଥିବାର ପ୍ରମାଣ? ଯାହା ପାଖରେ ଅର୍ଥ ଥିବ, ସମ୍ବଳ ଥିବ, ସେ ଏ ସବୁ ପରିଧାନ କରିପାରିବ, ଏମିତି ଘୋଡ଼ା ଚଢ଼ିପାରିବ।

ରାଜକୁମାର କହିଲେ- ଓଃ ତୁମେ ଆହୁରି ପ୍ରମାଣ ଚାହଁ। ହଉ ରହ, ତୁମର ଅବସ୍ଥା କ’ଣ କରୁଛି ତାହା ଦେଖ।

କିନ୍ତୁ ଦଳରେ ଥିବା ମନ୍ତ୍ରୀଙ୍କ ବୁଦ୍ଧିମାନ ପୁଅ ସାଧୁଙ୍କ କଥାର ମର୍ମ ବୁଝିପାରିଥିଲା। ସେ ରାଜକୁମାରଙ୍କୁ ତୁନି କରି କହିଲା- ସାଧୁ ତୁମଠାରୁ ରାଜବ˚ଶ ସୁଲଭ ମାର୍ଜିତ ବ୍ୟବହାର ଆଶା କରନ୍ତି। ତୁମେ ଉଚ୍ଚ କୂଳରେ ଜାତ ବୋଲି ତାହା ହିଁ ଏକମାତ୍ର ପ୍ରମାଣ।

ରାଜକୁମାରଙ୍କ ଚୈତନ୍ୟ ଉଦୟ ହେଲା।

ସମ୍ବନ୍ଧିତ ଖବର