ଶାନ୍ତିରେ ରହୁଥିବା ଲୋକ

କଥାଟିଏ - ଯାଯାବର

ଜଣେ ରାଜାଙ୍କ ମନରେ ପ୍ରଶ୍ନ ଉଠିଲା- କେଉଁ ଲୋକ ଶାନ୍ତିରେ ଅଛି? ଏ ବାବଦରେ ସେ ମୁଲ୍ଲା ନସିରୁଦ୍ଦିନଙ୍କୁ ପଚାରିଲେ।

ମୁଲ୍ଲା କହିଲେ- ମୁଁ ଭାବୁଛି ଆପଣଙ୍କ ପାଖକୁ ପ୍ରତିଦିନ ଆସୁଥିବା ସେହି ଫକିର ଜଣକ ଶାନ୍ତିରେ ଅଛନ୍ତି। ଆପଣ ତାଙ୍କୁ ପଚାରନ୍ତୁ।

ରାଜା କହିଲେ- ମୁଲ୍ଲା, ତୁମେ ତ ଦେଖିଛ କେମିତି ସେ ପ୍ରତିଦିନ ମୋ ଠାରୁ ଦଶଟି ସ୍ବର୍ଣ୍ଣ ମୁଦ୍ରା ନେଇ ଆନନ୍ଦରେ ଚାଲିଯାଆନ୍ତି! ହଉ ତୁମେ କହିଲଣି ଯଦି ଆଜି ତାଙ୍କର ଗୋଟିଏ ପରୀକ୍ଷା ନେଇ ଦେଖିବା ଯେ ସେ କେତେ ଶାନ୍ତିରେ ଅଛନ୍ତି!

ସେହିଦିନ ଫକିର ଆସିଲେ। ରାଜା ତାଙ୍କୁ ସବୁଦିନ ଭଳି ସ୍ବର୍ଣ୍ଣ ମୁଦ୍ରା ଦେଲେ, ମାତ୍ର ଦଶଟି ବଦଳରେ ଦେଲେ ଜମାରୁ ଗୋଟିଏ।

ଫକିର କିଛି ନ କହି ତାକୁ ଧରି ସେମିତି ଆନନ୍ଦରେ ଚାଲିଯିବାକୁ ବାହାରିଲା ବେଳକୁ ରାଜା ପଚାରିଲେ- ଆପଣଙ୍କୁ ଆଜି ନଅଟି ସ୍ବର୍ଣ୍ଣ ମୁଦ୍ରା କମ୍‌ ଦେଇଛି। ଜାଣିଛନ୍ତି ତ?

ଫକିର କହିଲେ- ରାଜା, କେଉଁ ସ୍ବର୍ଣ୍ଣ ମୁଦ୍ରା? ଆପଣଙ୍କୁ ତାହା ସୁନା ଭଳି ଦିଶିଥାଏ, କିନ୍ତୁ ମୋତେ ତାହା ସେମିତି ଦିଶେ ନାହିଁ। ତେଣୁ ଏଠାରୁ ବାହାରକୁ ଗଲା ବେଳେ ମୋ ମୁଣିକୁ ହାଲୁକା କରିବା ଲାଗି ସବୁ ଦିନ ସେତକ ଦ୍ବାରପାଳ ବାବୁକୁ ଦେଇ ଚାଲିଯାଏ। ଆଜି ବି ବିଚରା ସେ ଭାବିପାରେ ଆଉ ନଅଟି ଗଲା କୁଆଡେ଼?

ଏବେ ରାଜା ବସିବା ସ୍ଥାନରୁ ଉଠି ପଡ଼ିଲେ। ସେ କହିଲେ- ମୁଲ୍ଲା ଠିକ କହିଛ। ଏହି ଲୋକ ତ ଆସକ୍ତି ପ୍ରତି ଅନ୍ଧ। ଏହି ଲୋକ ଶାନ୍ତିରେ ରହିବ ନାହିଁ ତ ଆଉ କିଏ ରହିବ?

ସମ୍ବନ୍ଧିତ ଖବର