ସୁନା ମୁଦ୍ରା, ତମ୍ବା ମୁଦ୍ରା

କଥାଟିଏ - ଯାଯାବର

ମୁଲ୍ଲା ନସିରୁଦ୍ଦିନ ଏବ˚ ତାଙ୍କ ପୁଅ କୁଆଡେ଼ ଯାଉଥିଲେ। ରାସ୍ତାରେ ଜଣେ ଭିକାରି ଭିକ ମାଗୁଥିବାର ଦେଖି ମୁଲ୍ଲା ଅଟକି ଗଲେ। ସେ ତାକୁ ପଚାରିଲେ- ମୁଁ କିଛି ପଚାରିବାକୁ ଚାହେଁ। ତୁମେ ଭଲ ସୁସ୍ବାଦୁ ଚିଜ ଖାଇବାକୁ ଭଲ ପାଅ କି? ଭିକାରି କହିଲା- ବହୁତ ଭଲ ପାଏ। ମୁଲ୍ଲା ପଚାରିଲେ- ତା ସହିତ ଟିକିଏ ପିଆପିଇ ବି? ଭିକାରିର ଆଖି ଉଜ୍ଜ୍ବଳ ହୋଇ ଉଠିଲା ଏବ˚ ସେ କହିଲା- ବହୁତ ଭଲ ପାଏ ଆଜ୍ଞା, ହେଲେ ଅନେକ ଦିନ ହେଲା ଜୁଟିନାହିଁ। ମୁଲ୍ଲା ପୁଣି ପଚାରିଲେ- ସୁଯୋଗ ପାଇଲେ ସିନେମାଟିଏ ବି ଯିବାକୁ ମନ କରୁଥିବ, ନୁହେଁ? ଭିକାରି କହିଲା- ଆଜ୍ଞା, ଭାରି ମନ। ହେଲେ ଫଟା କପାଳ, କ’ଣ କରିବି? ବାନ୍ଧବୀଟିଏ ବି ଜୁଟିଛି, ତାକୁ ନେଇ ସିନେମା ଯିବା କଥା ଯେ ହେଲେ, କରିବି କ’ଣ?

ମୁଲ୍ଲା ନସିରୁଦ୍ଦିନ ତାକୁ ଗୋଟିଏ ସ୍ବର୍ଣ୍ଣ ମୁଦ୍ରା ଦେଇ ଆଗେଇ ଗଲେ।

କିଛି ଦୂରରେ ସେ ଭେଟିଲେ ଆଉ ଜଣେ ଭିକାରିକୁ। ତାକୁ ବି ସେ ସେଇ ସମାନ ପ୍ରଶ୍ନ ପଚାରିଲେ। ସେ ଭିକାରି ଥିଲା ବେଶ୍‌ ଶୃଙ୍ଖଳିତ, ମାର୍ଜିତ ଓ ଭଦ୍ର। ମୁଲ୍ଲାଙ୍କ ପ୍ରଶ୍ନଗୁଡ଼ିକର ଉତ୍ତରରେ ସେ ଯାହା କହିଲା, ତାର ସାରମର୍ମ ହେଲା- ସେ ସେମିତି କିଛି କରିବାକୁ ଆଗ୍ରହୀ ନୁହେଁ।

ମୁଲ୍ଲା ତାକୁ ତମ୍ବା ମୁଦ୍ରାଟିଏ ଦେଲେ।

ତାଙ୍କ ପୁଅ ଏହା ଦେଖି ତାଜୁବ୍‌। ସେ ପଚାରିଲା- ବାପା, ତୁମେ ଏମିତି କାହିଁକି କଲ? ଜଣେ ଶୃଙ୍ଖଳାହୀନ, ବଦ୍‌ଖର୍ଚ୍ଚୀ ଓ ନୈତିକତାହୀନ ଲୋକକୁ ସ୍ବର୍ଣ୍ଣମୁଦ୍ରା, ଅଥଚ ଜଣେ ସ˚ଯମୀ ଓ ନୀତିବାନ ଲୋକକୁ ତମ୍ବା ମୁଦ୍ରା?

ମୁଲ୍ଲା କହିଲେ- ସରଳ କଥାଟିଏ ବୁଝିପାରୁନୁ? ଏ ଦୁହିଁଙ୍କ ଭିତରୁ କାହାର ଦୁଃଖ ଅଧିକ? ଯିଏ ସବୁ କିଛି କରିବାକୁ ଚାହୁଁଛି, ହେଲେ ତା ପାଖରେ କିଛି ନାହିଁ। ତେଣୁ ତାର ଦୁଃଖ ଦୂର କରିବା ଅଧିକ ଜରୁରୀ।

ସମ୍ବନ୍ଧିତ ଖବର