ଥରେ ମୁଲ୍ଲା ନସିରୁଦ୍ଦିନଙ୍କ ଗାଁ ଲୋକେ ଦେଖିଲେ ଗୋଟିଏ ବିଚିତ୍ର ଦୃଶ୍ୟ। ଗୋଟିଏ ଶଗଡ଼ ଗାଡ଼ି ଚାଲିଛି। ଶଗଡ଼ ଗାଡ଼ିରେ ବାଦାମ ବସ୍ତା ଲଦା ହୋଇଛି। ସେଇ ବାଦାମ ବସ୍ତାରୁ ଗୋଟିକରେ କଣାଟିଏ ହୋଇଯାଇଥିବାରୁ ବାଦାମ ସବୁ ରାସ୍ତାରେ ପଡ଼ି ପଡ଼ି ଯାଉଛି। ତା ପଛରେ ଚାଲିଛନ୍ତି ମୁଲ୍ଲା ନସିରୁଦ୍ଦିନ। ସେ ଗୋଟିଏ ବାଦାମ ଉଠାଉଛନ୍ତି ଓ ତାର ଚୋପା ଛଡ଼ାଇ ବାଦାମ ଦାନା ପାଟିରେ ପକାଇ ପକାଇ ଶଗଡ଼ ପଛରେ ଚାଲିଛନ୍ତି।
ସ˚ଧୢାରେ ଯେତେ ବେଳେ ଗାଁର ବଜାରରେ ମୁଲ୍ଲାଙ୍କୁ ଦେଖିବାକୁ ମିଳିଲା, ସେତିକି ବେଳେ ଜଣେ ଲୋକ ତାଙ୍କୁ ପଚାରିଲା- ମୁଲ୍ଲା ତୁମ ଭଳି ନିର୍ବୋଧ କେହି ନାହାନ୍ତି। ଆଜି ସକାଳେ ତୁମ କାରବାର ଦେଖିଲି। ତୁମେ ଗୋଟିଏ ବାଦାମ ଚୋପା ଛଡ଼ାଇ ଖାଇଲା ବେଳକୁ ଆହୁରି କେତେ ବାଦାମ ତଳେ ପଡ଼ି ରହୁଥିଲା। ତୁମେ ସେ ଆଡ଼କୁ ନଜର ଦେଉ ନ ଥିଲ। ବୁଦ୍ଧିମାନ ବ୍ୟକ୍ତି ପ୍ରଥମେ ସବୁ ବାଦାମକୁ ଏକାଠି କରିଥାଆନ୍ତା, ତା ପରେ ଖାଇଥାଆନ୍ତା।
ମୁଲ୍ଲା କହିଲେ- ତୁମ ବୁଦ୍ଧି ମୋ ଗଧ ଠାରୁ ବି କମ୍। ଆରେ ବାବୁ କିଏ ଜାଣିଛି ସବୁ ବାଦାମ ଏକାଠି କରି ଖାଇବାକୁ ଗଲା ବେଳକୁ ମୁଁ ବଞ୍ଚିଥିବି ବୋଲି? ତେଣୁ ଯେମିତି ବାଦାମ ପାଉଥିଲି, ତାକୁ ଖାଇ ତାର ମଜା ନେଉଥିଲି।
ଗପଟି କହିସାରି ଗୁରୁ ୟୁଜିକେ କହିଲେ- ଆମେମାନେ ସୁଖ ପାଇବାର ସାଧନକୁ ଏକାଠି କରିବାରେ ଏତେ ବ୍ୟସ୍ତ ଯେ ତାକୁ ଉପଭୋଗ କରିବାର ସୁଯୋଗ ହରାଉଛେ। ତେଣୁ ଜୀବନର ଯାତ୍ରାରେ ଯେତେ ଛୋଟ ସୁଖ ମିଳୁ ପଛକେ ତାକୁ ସେଇଠାରେ ଉପଭୋଗ କରିବା ଦରକାର। ତାହା ହେଲେ ଜୀବନ ସୁଖମୟ ହୋଇ ଉଠିବ।