ଆହୁରି ବୁଦ୍ଧି ପାଇନ!

କଥାଟିଏ - ଯାଯାବର

ଜଣେ ମୁକ୍ତା ବ୍ୟବସାୟୀ ଥିଲେ। ତାଙ୍କ ପାଖରେ ଥିବା ଦୁର୍ମୂଲ୍ୟ ମଣିମୁକ୍ତା ହେତୁ ତାଙ୍କ ମନରେ ଥିଲା ପ୍ରଚୁର ଗର୍ବ। ଥରେ ଆରବର ରାଜା କିଛି ବିରଳ ମୁକ୍ତା ଖର୍ଦ୍ଦି କରିବା ଲାଗି ତାଙ୍କୁ ନିମନ୍ତ୍ରଣ କଲେ। ମୁକ୍ତା ବ୍ୟବସାୟୀ ନିଜ ଦଳ ସହିତ ମରୁଭୂମିରେ ଯାତ୍ରା ଆରମ୍ଭ କଲେ।

ଦୁର୍ଭାଗ୍ୟକୁ ବାଟରେ ହେଲା ଭୀଷଣ ବାଲି ଝଡ଼। ବ୍ୟବସାୟୀ ଜଣକ ଦଳ ଠାରୁ ଅଲଗା ହୋଇଗଲେ। ସେ ପ୍ରାଣ ବିକଳରେ ଦଳକୁ ଖୋଜିବାକୁ ଲାଗିଲେ ସିନା ପାଇଲେ ନାହିଁ। ସେ ଦିଗହରା ଓ ବାଟବଣା ହୋଇସାରିଥିଲେ। ହତାଶାରେ ସେ ପାଗଳପ୍ରାୟ ହୋଇଗଲେ। ଏଣେ ଶୋଷରେ ତାଙ୍କ ତଣ୍ଟି ଫାଟିଯାଉଥିଲା। କିନ୍ତୁ ପାଣି ଭାର ବୋହିଥିବା ଓଟଟି ସେଇ ଦଳ ସହିତ ତାଙ୍କ ଠାରୁ ବିଚ୍ଛିନ୍ନ ହୋଇଯାଇଥିଲା। ପ୍ରାଣ ବିକଳରେ ସେ ନିଜ ଓଟ ପିଠିରେ ଥିବା ମୁଣି ସବୁକୁ ଖୋଜି ପକାଇଲେ। କିନ୍ତୁ ସେଥିରେ କେବଳ ମଣି ମୁକ୍ତା ଥିଲା। କାରଣ ସେଗୁଡ଼ିକ ସବୁଠାରୁ ମୂଲ୍ୟବାନ ବୋଲି ସେ ସେସବୁକୁ ନିଜ ପାଖରେ ରଖିଥିଲେ। ଏବେ ପ୍ରାଣ ବିକଳରେ ପାଣି ଖୋଜୁଥିବା ବେଳେ ମୁକ୍ତା ସବୁ ଏଣେତେଣେ ବିଛାଡ଼ି ହୋଇ ପଡ଼ିଲା। କିନ୍ତୁ ସେଥି ପ୍ରତି ତାଙ୍କର ନିଘା ନଥିଲା।

ଏଇ ସମୟରେ ସେଠି ପହଞ୍ଚିଲା ଜଣେ ବେଦୁଇନ୍‌। ତାରି ପାଖରେ ଖାଦ୍ୟ ଓ ପାଣି ଥିଲା। ବ୍ୟବସାୟୀ ସେଇଥିରୁ ଜୀବନ ପାଇଲେ। ତଳେ ବିଛାଡ଼ି ହୋଇ ପଡ଼ିଥିବା ମଣିମୁକ୍ତା ଆଡ଼େ ବେଦୁଇନ୍‌ ଥରେ ବି ଚାହୁଁ ନ ଥିଲା। ବ୍ୟବସାୟୀ ତାକୁ ଗୋଟିଏ ମୁଣା ମୁକ୍ତା ଦେଇ କହିଲେ- ତୁମ ଉପକାର ଲାଗି ଏ ହେଉଛି ପୁରସ୍କାର।

ବେଦୁଇନ୍‌ ଅଟ୍ଟହାସ୍ୟ କରି ଉଠିଲା, ଆହୁରି ବୁଦ୍ଧି ପାଇନ!

ସମ୍ବନ୍ଧିତ ଖବର