ସୁଖ ଦୁଃଖର ଜୀବନ

କଥାଟିଏ - ଯାଯାବର

ଜଣେ ଯୁବକ ତ୍ରିକାଳଦ୍ରଷ୍ଟା ସିଦ୍ଧ ଋଷିଙ୍କ ପାଖରେ ପହଞ୍ଚି କହିଲା- ଆପଣ ଯାହା ବର ଦିଅନ୍ତି, ତାହା ସତରେ ପରିଣତ ହୋଇଥାଏ ବୋଲି ଶୁଣିଛି। ଏବେ ମୋତେ ଏମିତି ବରଟିଏ ଦିଅନ୍ତୁ, ଯେମିତି ମୋତେ କେବେ ବି ଦୁଃଖ ମିଳିବ ନାହିଁ। ସର୍ବଦା ସୁଖରେ ରହିବି।

ଏହା ଶୁଣି ସାଧୁ ଯୁବକକୁ ନିକଟସ୍ଥ ନଈ ପାଖକୁ ଡାକି ନେଲେ। ଯୁବକ ଭାବିଲା ଯେ ବୋଧହୁଏ ସ୍ନାନାଦି କରିବା ଉତ୍ତାରେ ତାକୁ ବିରଳ ବରଟିଏ ମିଳିବ।

ସାଧୁ ତାକୁ ପାଣିରେ ମୁଣ୍ଡ ବୁଡ଼ାଇବାକୁ କହିଲେ। ଯୁବକ ଯେମିତି ମୁଣ୍ଡ ବୁଡ଼ାଇଛି, ସେ ସଙ୍ଗେ ସଙ୍ଗେ ତାକୁ ପାଣି ତଳେ ଚାପି ଧରିଲେ। ଯୁବକ ପ୍ରାଣ ବିକଳରେ ଅନେକ ଛାଟିପିଟି ହେବା‌ ପରେ ସାଧୁ ତାକୁ ଯେତେବେଳେ ଛାଡ଼ି ଦେଲେ ସେ ମୁଣ୍ଡଟିକୁ ପାଣିରୁ ଉପରକୁ ଉଠାଇ ଏମିତି ପ୍ରଶ୍ବାସଟିଏ ଭିତରକୁ ନେଲା ଯେମିତି କି ତା ପିଣ୍ଡରେ ପ୍ରାଣବାୟୁ ପଶିଲା।

ଏଭଳି ଅତର୍କିତ ଆକ୍ରମଣରେ ଚକିତ ଓ ତଟସ୍ଥ ହୋଇ ସେ ବସିଥିବା ବେଳେ ସିଦ୍ଧ ଋଷି କହିଲେ- ଜନ୍ମ ଠାରୁ ଏ ଯାବତ୍ ପ୍ରଶ୍ବାସ ନେଉଛୁ ଓ ନିଃଶ୍ବାସ ଛାଡୁଛୁ, ହେଲେ ତାହା ଯେ ପ୍ରାଣବାୟୁ ଏମିତି ଆଗରୁ କେବେ ଭାବିଥିଲୁ କି? ତାହା ଦେହସୁହା ହୋଇଯାଇଥିଲା ନୁହେ? ଥରେ ତାହା ବନ୍ଦ ହେଲା ବୋଲି ତାର ଅସଲ ମହତ୍ତ୍ବଟି କ’ଣ ତାହା ଜାଣିଲୁ। ଏବେ ବୁଝ, ଯଦି ଦୁଃଖ ବିନା ସବୁବେଳେ ସୁଖ ଭୋଗ କରି ଚାଲିବୁ ତେବେ ତାହା ଏତେ ଦେହସୁହା ଓ ସାଧାରଣ ହୋଇଯିବ ଯେ ତୁ ସେଥିରୁ ଆଉ କୌଣସି ରସ ପାଇବୁ ନାହିଁ। ତେଣୁ ସୁଖ ଓ ଦୁଃଖ ମିଶା ଜୀବନ ହିଁ ଶ୍ରେଷ୍ଠ ଜୀବନ।

ସମ୍ବନ୍ଧିତ ଖବର