ନର୍କକୁ ଯିବେ

କଥାଟିଏ - ଯାଯାବର

ଜଣେ ସାଧୁ ଓ ତାଙ୍କ ଚେଲା ଭ୍ରମଣରେ ବାହାରିଥିଲେ। ସେମାନେ ବିଭିନ୍ନ ରାଜ୍ୟ ଦେଇ ଯାଉଥିଲେ। ଏମିତି ଯାଉଯାଉ ସେମାନେ ଥରେ ଏମିତି ଏକ ସହର ଦେଇ ଗଲେ ଯେଉଁଠି ସେମାନଙ୍କୁ ଆଶ୍ରୟ ଓ ଖାଦ୍ୟ କିଛି ହେଲେ ମିଳିଲା ନାହିଁ। ସେ ସହରର ଲୋକେ ଥିଲେ ମହା ସ୍ବାର୍ଥପର ଓ ଲୋଭୀ। ସେମାନେ ସାଧୁସନ୍ଥମାନଙ୍କୁ ଆଦୌ ପଚାରୁ ନ ଥିଲେ। ଦୁହେଁ ବଡ଼ ବିକଳ ହୋଇ ସେଇ ସହରରୁ ବାହାରି ଗଲା ବେଳେ ଚେଲାଟି କହିଲା ଏଠାକାର ଲୋକେ ନର୍କକୁ ଯିବେ। ଗୁରୁ କୌଣସି ମନ୍ତବ୍ୟ ଦେଲେ ନାହିଁ।

ଏମିତି ଭ୍ରମଣ କରୁଥିବା ବେଳେ ସେମାନେ ଆଉ ଏକ ସହରରେ ପଶିଲେ। ସେ ସହରର ପ୍ରବେଶ ପଥରେ ସେମାନଙ୍କୁ ଅଭ୍ୟର୍ଥନା କରି ଭିତରକୁ ପାଛୋଟି ନିଆଗଲା। ସେଥିରେ ଗୁରୁ ଓ ଚେଲା ସହରକୁ ପ୍ରବେଶ କରିବା ପରେ ଜାଣିଲେ ଯେ ବାଟୋଇମାନଙ୍କୁ ଭୁଲେଇ ଦାସରେ ପରିଣତ କରିବା ସକାଶେ ଏହା ଏକ ଫନ୍ଦି। ସୁତରା˚, ଗୁରୁ ଓ ଚେଲା ଦାସରେ ପରିଣତ ହେଲେ।

କେତେ ବର୍ଷ ପରେ ଓ କେମିତି ସେମାନେ ମୁକ୍ତ ହେଲେ, ତାହା ତ ଆଉ ଏକ କାହାଣୀ।

ତେବେ ମୁକ୍ତ ହେବା ପରେ ଗୁରୁ ଚେଲାକୁ କହିଲେ- ଏମାନେ ହିଁ ପ୍ରକୃତରେ ନର୍କକୁ ଯିବେ। ପ୍ରଥମ ସହରର ବାସିନ୍ଦାମାନେ ନର୍କକୁ ଯିବା ବେଳେ ଯେଉଁ ଗୋଟିଏ କଥା ସେଥିରେ ବାଧା ପହଞ୍ଚାଇବ ତାହା ହେଉଛି ସେମାନଙ୍କ ସଚ୍ଚୋଟତା। ସେମାନେ ପ୍ରକୃତରେ ଯାହା, ସେହିଭଳି ହିଁ ବ୍ୟବହାର କରିଥିଲେ। କିନ୍ତୁ ଏହି ଦ୍ବିତୀୟ ସହରର ଲୋକେ ଯେଉଁ ଶଠାଚାର କରୁଛନ୍ତି, ସେଥି ଲାଗି ସେମାନଙ୍କୁ ନର୍କ ପତନରୁ କେହି ହେଲେ ରକ୍ଷା କରିପାରିବେ ନାହିଁ।

ସମ୍ବନ୍ଧିତ ଖବର