ପରୋପକାର କରିଛ କି?

କଥାଟିଏ - ଯାଯାବର

ଜଣେ ଯୁବକ ତାଙ୍କ ଗାଁକୁ ଆସିଥିବା ଜଣେ ସାଧୁଙ୍କୁ କହିଲେ- ମହାତ୍ମା, ପରୋପକାର କରିବାର ମୂଲ୍ୟ କିଛି ନାହିଁ।

ସାଧୁ ପଚାରିଲେ- କାହିଁକି, ତୁମ ମନରେ ଏଭଳି ଅଭିମାନ?

ଯୁବକ କହିଲେ- ପୂରା କଥାଟି ଶୁଣନ୍ତୁ। ମୁଁ ଦିନେ କୌଣସି ଏକ ସ୍ଥାନକୁ ଯାଉଥିଲି। ଗୋଟିଏ ପୋଲ ଉପରେ ଯାଉଥିବା ବେଳେ ହଠାତ୍ ତଳୁ ଏକ ଚିତ୍କାର ଶୁଣିଲି-‘ବଞ୍ଚାଅ’। ମୁଁ ତଳକୁ ଚାହିଁ ଦେ‌େଖ ତ ଜଣେ ଲୋକ ବୁଡ଼ି ଯାଉଛି। ମୁଁ ଆଉ ଟିକିଏ ନିରୀକ୍ଷଣ କରି ଦେଖେ ତ ସେ ମୋର ଜାତ ଶତ୍ରୁ। ମୁଁ ଚାହିଁଥିଲେ ସେଠାରୁ ଚୁପ୍‌ କରି ଚାଲିଯାଇ ପାରିଥାଆନ୍ତି। କିନ୍ତୁ ଯାଇ ପାରିଲି ନାହିଁ। ମୋର ମନ ବିଳପି ଉଠିଲା। ମୁଁ ନିଜ ଜୀବନକୁ ବାଜି ଲଗାଇ ତଳକୁ ଡେଇଁଲି ଏବଂ ତାକୁ ଉଦ୍ଧାର କଲି। କିନ୍ତୁ ଏବେ ବୁଝୁଛି ପରୋପକାର କରି କିଛି ଲାଭ ନାହିଁ। କାରଣ ସେ ବଦଳିଲା ନାହିଁ। ମୋ ବିରୋଧରେ ଏବେ ସୁଦ୍ଧା ଗାଇ ବୁଲୁଛି।

ସାଧୁ ହସିଲେ ଏବଂ କହିଲେ- ତୁମର ସବୁଠାରୁ ବଡ଼ ଭୁଲ୍‌ ଧାରଣା ହେଉଛି ଯେ ତୁମେ ପରୋପକାର କରିଛ! ତୁମେ ସେଭଳି କିଛି କରିନାହଁ। କାରଣ ତୁମେ ପରୋପକାର କରିଛ ବୋଲି କହୁଥିବା ବେଳେ ଜଣେ ଶତ୍ରୁର ପ୍ରାଣରକ୍ଷା କରିଥିବାଜନିତ ଅହଂକାରର ଚିହ୍ନ ଦେଖିବାକୁ ମିଳୁଥିଲା। ତୁମେ ନିଜକୁ ଜଣେ ମହାନ ଲୋକ ବୋଲି ପ୍ରଦର୍ଶିତ କରିବାର ଚେଷ୍ଟା କରୁଛ। ତୁମେ ଯଦି ତୁମ ଦୋଷଟି ଦେଖିପାରିବ, ତାହା ହେଲେ ତାର ଦୋଷ ତୁମ ଆଖିରେ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର