ଥରେ ରାଜାଙ୍କ ପାଖରେ ପହଞ୍ଚିଲେ ଜଣେ ସନ୍ନ୍ୟାସୀ। ସନ୍ନ୍ୟାସୀ ଦୀର୍ଘ କାଳ ତପସ୍ୟା କରି ଗୋଟିଏ ବର ପାଇଥିଲେ। ବରଟି ଏୟା ଥିଲା ଯେ ସେ ଯେତେବେଳେ ଚାହିଁବେ ଈଶ୍ବର ନିଜର ମହିମାମଣ୍ତିତ ରୂପ ନେଇ ତାଙ୍କ ସାମନାରେ ଥରଟିଏ ଓ ମାତ୍ର କ୍ଷଣିକ ପାଇଁ ପ୍ରକଟିତ ହେବେ।

Advertisment

ସନ୍ନ୍ୟାସୀ ରାଜାଙ୍କୁ କହିଲେ- ଆପଣ ଚାହିଁଲେ ମୁଁ ସବୁ ରାଜଧାନୀବାସୀଙ୍କ ଲାଗି ଥରଟିଏ ଈଶ୍ବର ଦର୍ଶନର ବ୍ୟବସ୍ଥା କରାଇ ଦେବି। ଆପଣ ସମସ୍ତଙ୍କୁ ଧନ୍ୟ କରିଦେବି। ଆପଣ ଇଚ୍ଛୁକ ତ?

ରାଜା ଏହା ଶୁଣି ଅତି ଖୁସି ହୋଇ ରାଜଧାନୀରେ ଘୋଷଣା କରିଦେଲେ ଯେ ପ୍ରତ୍ୟକ୍ଷରେ ଈଶ୍ବରଙ୍କ ରୂପ ଦର୍ଶନ କରିବାର ସୁଯୋଗ ନେବା ଲାଗି ସମସ୍ତେ ନିକଟବର୍ତ୍ତୀ ପାହାଡ଼ର ପାଦ ଦେଶରେ ରୁଣ୍ତ ହୁଅନ୍ତୁ।

ସମସ୍ତଙ୍କ ଲାଗି ଏହା ଥିଲା ଏକ ଅତ୍ୟନ୍ତ ମହାର୍ଘ ସୁଯୋଗ। ସନ୍ନ୍ୟାସୀ ଗର୍ବରେ ଉତ୍‌ଫୁଲ୍ଲିତ ଥିଲେ। ଏବେ ସେ ବର ମାଗିବାକୁ ପ୍ରସ୍ତୁତ ହେଲେ ଓ କହିଲେ- ମାତ୍ର କ୍ଷଣଟିଏ ଲାଗି ଈଶ୍ବରଙ୍କ ଦର୍ଶନ ମିଳିବ। ତେଣୁ ସମସ୍ତେ ଯେମିତି ସଜାଗ ରହନ୍ତି। ତା ପରେ ସେ ମନେ ମନେ ଈଶ୍ବରଙ୍କୁ ସ୍ମରଣ କରି ବର ମାଗିଲେ।

କିଛି ସମୟ ପରେ ସେ ସ୍ଥାନଟି ଏକ ଅତ୍ୟନ୍ତ ଉଜ୍ଜ୍ବଳ ଆଲୋକ ବିଭାରେ ଉଦ୍‌ଭାସିତ ହୋଇଗଲା। ସେଇ ଆଲୋକ ଭିତରେ ଈଶ୍ବରଙ୍କ ମନମୋହନ ରୂପ ପ୍ରକଟିତ ହୋଇ କ୍ଷଣିକ ଭିତରେ ଲିଭିଗଲା। ଦୃଶ୍ୟଟି ଥିଲା ଅପୂର୍ବାନୁମେୟ। କିନ୍ତୁ ଏଣେ ଅଘଟଣଟିଏ ଘଟି ଯାଇଥିଲା। ହଠାତ୍‌ ଏକ ଧୂଳି ଝଡ଼ ଉଠିବାରୁ ସମସ୍ତଙ୍କ ଚକ୍ଷୁ ସେଇ ମହାର୍ଘ କ୍ଷଣରେ ବୁଜି ହୋଇଗଲା। ଆଖି ଖୋଲି ଲୋକେ ପଚାରିଲେ - ଈଶ୍ବର ଉଭା ହେଲେ କି?

ସନ୍ନ୍ୟାସୀ ନିରୁତ୍ତର ହୋଇଗଲେ। ଏହି ଧୂଳି ଝଡ଼ର କାରଣ ଯେ ତାଙ୍କ ଅହ˚କାର ଏହା ସେ ବୁଝିପାରିଥିଲେ।