ପ୍ରବୀଣ ଓ ତରୁଣ ଯୋଦ୍ଧା

କଥାଟିଏ - ଯାଯାବର

ଜଣେ ପ୍ରବୀଣ ଯୋଦ୍ଧା ଥିଲେ। ଶାରୀରିକ ଶକ୍ତି ଦୃଷ୍ଟିରୁ ମଧୢ ସେ ଥିଲେ ଅଦ୍ବିତୀୟ। ତେବେ ସେ ଥିଲେ କ୍ଷଣକୋପୀ ଓ ଅହ˚କାରୀ।

ଏକଦା ଜଣେ ବିଦେଶୀ ଯୁବକ ସେଇ ସହରକୁ ଆସିଲେ। ସେ ସହରରେ କିଛି ଦିନ ରହିବାକୁ ମନସ୍ଥ କଲେ। ଯୁବକ ମଧୢ ଥିଲେ ଜଣେ ଅସାଧାରଣ ଶସ୍ତ୍ର ଚାଳକ। କିନ୍ତୁ ସହରର ପ୍ରବୀଣ ଯୋଦ୍ଧାଙ୍କ ସହିତ ଯାହା ହେଲେ ବି ସେ ସମତୁଲ ନ ଥିଲେ।

କିଛି ଦିନ ପରେ ଥରେ କୌଣସି ଏକ କାରଣକୁ ନେଇ ବିଦେଶୀ ଯୁବକଙ୍କ ଉପରେ ପ୍ରବୀଣ ଖୁବ୍‌ ରାଗି ଗଲେ। ଯୁବକଙ୍କୁ ଏକ ସମ୍ମୁଖ ଯୁଦ୍ଧରେ ଅବତୀର୍ଣ୍ଣ ହେବା ସକାଶେ ଆହ୍ବାନ ଦେଲେ। କିନ୍ତୁ ସେଇ ସମୟରେ ପ୍ରବୀଣଙ୍କ ହାତରେ କୌଣସି ଅସ୍ତ୍ର ନ ଥିଲା। ତେଣୁ ତରୁଣ ଯୋଦ୍ଧା ପ୍ରବୀଣଙ୍କ ଉପରକୁ ଖଣ୍ତାଟିଏ ଫିଙ୍ଗି ଦେଇ ଯୁଦ୍ଧ କରିବାକୁ ଆହ୍ବାନ ଦେଲେ।

ପ୍ରବୀଣ ଖଣ୍ତାଟି ପାଇ ଯେମିତି କୋଟିନିଧି ପାଇଗଲେ। ଯୁଦ୍ଧ ଆରମ୍ଭ ହେଲା। ଘମାଘୋଟ ଯୁଦ୍ଧ। କିନ୍ତୁ ଶେଷରେ ଯୁବକ ତଳେ ପଡ଼ିଗଲେ ଏବ˚ ତାଙ୍କ ଗଳା ବିଦ୍ଧ କରିବାକୁ ପ୍ରବୀଣଙ୍କ ଖଡ୍‌ଗ ଉଦ୍ୟତ ହୋଇ ରହିଥିଲା।

ପ୍ରବୀଣ କ୍ରୋଧରେ ଜର୍ଜରିତ ହୋଇ କହିଲେ- ଏବେ ମରିବା ଲାଗି ପ୍ରସ୍ତୁତ ହୁଅ। ତୁ ଗୋଟିଏ ଅର୍ବାଚୀନ। ମୋତେ ଖଣ୍ତା ଦେଇ ତୁ ସତରେ କି ଭୁଲ ନ କଲୁ ସତେ?

ଯୁବକ କହିଲେ- ଏ ଭୁଲ କରି ମଲେ ବର˚ ଭଲ। କାରଣ ଏ ଭୁଲ କରି ନ ଥିଲେ ଆପଣ ନିରସ୍ତ୍ର ଥିବାରୁ ଆପଣଙ୍କ ହତ୍ୟାର ଗ୍ଳାନିରେ ମୁଁ ବି ବଞ୍ଚି ପାରି ନ ଥାଆନ୍ତି।

ପ୍ରବୀଣଙ୍କ ଚେହେରା ବଦଳିଗଲା। ସେ ତରୁଣଙ୍କୁ ନିଜ ହାତରେ ଧରି ଉଠାଇ ଦେଲେ ଓ କହିଲେ- ମୁଁ ତୁମ ଠାରୁ ବଡ଼ ଯୋଦ୍ଧା ହୋଇପାରେ, କିନ୍ତୁ ବିଚାରବୋଧରେ ତୁମେ ମୋ ଠାରୁ ବଡ଼।

ସମ୍ବନ୍ଧିତ ଖବର