ସହଜ ମୂଷା ଶିକାର

କଥାଟିଏ - ଯାଯାବର

ଦିନେ ସକାଳୁ ଗୋଟିଏ ମୂଷା ଗାତ ବାହାରକୁ ବାହାରିବା ମାତ୍ରକେ ଦେଖିଲା କିଛି ଦୂରରେ ବିରାଡ଼ିଟିଏ ଛିଡ଼ା ହୋଇଛି। ସେ ଚଟ୍‌କିନା ଗାତ ଭିତରକୁ ପଶିଗଲା। ତାର ଛାତି ଦୁକୁ ଦୁକୁ ହେବାକୁ ଲାଗିଲା। ସେ ଭଗବାନଙ୍କୁ ଧନ୍ୟବାଦ ଦେଲା ଯେ ଯାହାହେଉ ସେ ବଞ୍ଚିଗଲା।

କିନ୍ତୁ କିଛି କ୍ଷଣ ପରେ ସେ ଶୁଣିଲା ଗାତ ଠାରୁ କିଛି ଦୂରରେ କୁକୁରଟିଏ ଭୁକୁଛି। ସେ ମନେ ମନେ ହସିଲା। ସେ ଭାବିଲା, ଏବେ ବିରାଡ଼ି ଯିବ କୁଆଡ଼େ? କୁକୁରକୁ ଦେଖି ସେ ନିଶ୍ଚୟ ପଳାଇଥିବ।

ଏହା ଭାବି ସେ ଆନନ୍ଦରେ ଗାତ ବାହାରକୁ ଆସିବା ମାତ୍ରକେ ଛକିଥିବା ବିରାଡ଼ି ତାକୁ ମାଡ଼ି ବସିଲା। ମୂଷାଟି କଲବଲ ହେଉଥିବା ବେଳେ ଦେଖିଲା ଯେ ଦୂର ଦୂର ଯାଏଁ କୌଣସି କୁକୁରର ଚିହ୍ନବର୍ଣ୍ଣ ନାହିଁ।

ଏବେ ମୂଷାଟି ବିରାଡ଼ିକୁ ପଚାରିଲା- ମୁଁ ତ ନିଶ୍ଚୟ ମରିବି। ତେବେ ମରିବା ଆଗରୁ ମୋର ଅନ୍ତିମ ଜିଜ୍ଞାସାର ଉତ୍ତର ଦିଅ। ମୁଁ ଜାଣିବାକୁ ଚାହେଁ ଏ କୁକୁର ଭୁକା କାହୁଁ ଆସିଲା?

ବିରାଡ଼ି କହିଲା- ଆମ ବିରାଡ଼ିମାନଙ୍କ ଗୁରୁ ଥରେ କହିଥିଲେ ଯେ ତୁମେ ଯଦି କୁକୁର ଭଳି ଭୁକିବା ଶିଖିଯିବ, ତେବେ ମୂଷା ଶିକାର ବହୁତ ସହଜ ହୋଇଯିବ। ଏହା ଶୁଣି ମୁଁ ଦିନ ରାତି ପରିଶ୍ରମ କରି କୁକୁର ଭୁକିବାର କଳାକୁ ସାଧିଲି। ତା ପରେ ମୂଷା ଶିକାର ବଢ଼ିଆ ହେଉଛି।

ଗପଟି କହି ଗୁରୁ ତାଙ୍କ ଶିଷ୍ୟମାନଙ୍କୁ କହିଲେ- ଏବେ ସବୁଠି ସେୟା ହିଁ ହୋଇଛି। ସବୁ କିଛି ସହଜରେ ହାସଲ କରିବାକୁ ଚାହୁଥିବା ଲୋକେ ଭିତରେ ଗୋଟାଏ ଓ ବାହାରେ ଆଉ ଗୋଟାଏ ଏମିତି କପଟାଚରଣ କରୁଛନ୍ତି।

ସମ୍ବନ୍ଧିତ ଖବର