ଈଶ୍ୱରଙ୍କ ଅସ୍ତିତ୍ୱ

କଥାଟିଏ - ଯାଯାବର

ଜଣେ ପଣ୍ତିତ ଥିଲେ। ଜୀବନ ଯାକ ଗ୍ରନ୍ଥ ପଢ଼ି ପଢ଼ି ଏମିତି ପାଣ୍ତିତ୍ୟ ଅର୍ଜନ କରିଥିଲେ ଯେ ତାଙ୍କ ଭଳି ତର୍କ ବାଗୀଶ ସେ ରାଜ୍ୟରେ ଖୁବ୍‌ କମ୍‌ ଥିଲେ।

ଥରେ ତାଙ୍କ ସ୍ବପ୍ନରେ ଈଶ୍ବର ଆସିଲେ। ଈଶ୍ବର ତାଙ୍କୁ ପଚାରିଲେ- ତୋର ମନରେ ଗୋଟିଏ ଦୁଃଖ ରହିଯାଇଛି ବୋଲି ମୁଁ ଜାଣେ। କିନ୍ତୁ ତାହା ତ ନିରର୍ଥକ!

ପଣ୍ତିତେ ଅତି ସ˚ଭ୍ରମତାର ସହିତ କହିଲେ- ପ୍ରଭୁ, ନିରର୍ଥକ କେମିତି? ଏ ଅଞ୍ଚଳରେ କେହି ହେଲେ ମୋତେ କୌଣସି ବିଷୟରେ ତର୍କରେ ହରାଇବା ଅସମ୍ଭବ। କିନ୍ତୁ ଗୋଟିଏ ବିଷୟରେ ମୁଁ ଅସହାୟ ହୋଇପଡୁଛି। ତାହା ହେଲା ଈଶ୍ବର ଅଛନ୍ତି କି ନାହାନ୍ତି ବୋଲି ହେଉଥିବା ଯୁକ୍ତିରେ ଯଦି ମୁଁ ଈଶ୍ବର ଅଛନ୍ତି ବୋଲି ପକ୍ଷ ନେଉଛି, ତେବେ ପ୍ରତିପକ୍ଷ ଠାରୁ ପରାସ୍ତ ହେଉଛି। କାରଣ ତୁମେ ନାହଁ ବୋଲି ଯେମିତି ଯୁକ୍ତି ଦେଇ ହେବ, ତୁମେ ଅଛ ବୋଲି ଯୁକ୍ତି ଦେବା କାଠିକର ପାଠ। ଏବେ ମୋତେ କୁହ ଈଶ୍ବର ଅଛନ୍ତି ବୋଲି ଯୁକ୍ତିରେ ଜିଣିବି କେମିତି?

ଈଶ୍ବର ହସିଲେ ଓ କହିଲେ- ସେଇଟା ତ ହେଉଛି ସବୁଠାରୁ ମୂଳ କଥା। ମୁଁ ନାହିଁ ବୋଲି ଯୁକ୍ତି କରି ଦର୍ଶାଇବାକୁ ଏ ସ˚ସାରରେ ଅନେକ କିଛି ଅଛି। ସାମନ୍ୟ ବୁଦ୍ଧି ଲଗାଇଲେ ଜଣେ ପ୍ରମାଣ କରିଦେବ ଯେ ଈଶ୍ବର ନାହାନ୍ତି। ଈଶ୍ବର ଅଛନ୍ତି ବୋଲି ଯୁକ୍ତି ବଳରେ ପ୍ରମାଣ କରିବା ଅସମ୍ଭବ। ଏହା କେବଳ ଅନୁଭୂତିର କଥା। ଆଉ ମନେ ରଖ, ଯିଏ ମୋତେ ଉପଲବ୍‌ଧି କରିବ, ସେ ଆଉ କିଛି ଲୋଡ଼ିବ ନାହିଁ। ମୋ ଅସ୍ତିତ୍ବକୁ ପ୍ରମାଣ କରିବା ଲାଗି ସେ ଯୁକ୍ତିକୁ ଓହ୍ଲାଇବ ନାହିଁ। ମୁଁ ନାହିଁ ବୋଲି କେହି କହିଲେ ମଧୢ ବିରକ୍ତ ବା ଦୁଃଖିତ ହେବ ନାହିଁ। କେବଳ ମୁଁ ଅଛି ବୋଲି ଆସ୍ଥାରେ ତଲ୍ଲୀନ ରହିବ।

ସମ୍ବନ୍ଧିତ ଖବର