ନିଃସର୍ତ୍ତ ସ୍ନେହ

କଥାଟିଏ - ଯାଯାବର

ଜଣେ ଗୁରୁ ଥିଲେ। ସେ ଜଣେ ଶିଷ୍ୟକୁ ଅସମ୍ଭବ ଭାବେ ସ୍ନେହ କରୁଥିଲେ। ଶିଷ୍ୟ ମଧ୍ୟ ଗୁରୁଙ୍କୁ ବହୁତ ଭଲ ପାଉଥିଲା।

ଥରେ ସେଇ ସହରକୁ ଆସିଲେ ଆଉ ଜଣେ ପ୍ରସିଦ୍ଧ ଗୁରୁ। ଦୁଇ ଗୁରୁଙ୍କ ଭିତରେ ଯଦିଓ ବ୍ୟକ୍ତିଗତ ତିକ୍ତତା ନ ଥିଲା, କିନ୍ତୁ ଦୁହିଁଙ୍କ ମତ ଥିଲା ପରସ୍ପର ବିରୋଧୀ। ଦ୍ବିତୀୟ ଗୁରୁ ସହରକୁ ଆସିବାର କିଛି ଦିନ ପରେ ଦେଖାଗଲା ଯେ ପ୍ରଥମ ଗୁରୁଙ୍କ ପ୍ରିୟତମ ଶିଷ୍ୟ ଦ୍ବିତୀୟ ଗୁରୁଙ୍କ ଆସ୍ଥାନକୁ ଯାଉଛି। ସେଠାରେ ତାଙ୍କ ପ୍ରବଚନ ଶୁଣୁଛି। ତାଙ୍କ ମତ ପ୍ରତି ଆକର୍ଷିତ ହୋଇଛି। ଏହା ଦେଖି ଦ୍ବିତୀୟ ଗୁରୁ କହିଲେ- ବାବୁ, ତୁମକୁ ଯଦି ଆମ ମତ, ଆମ ଶିକ୍ଷା ଭଲ ଲାଗୁଛି ତେବେ ଆମ ପାଖକୁ ଚାଲିଆସ। ଯାହା ଭଲ ଲାଗୁନାହିଁ, ତାକୁ ଛାଡ଼।

ଶିଷ୍ୟ କହିଲା- ଆପଣଙ୍କ କଥା ଓ ଦର୍ଶନ ଭଲ ଲାଗୁଥିଲେ ବି ମୁଁ ମୋ ଗୁରୁଙ୍କୁ ଛାଡ଼ିପାରିବି ନାହିଁ।

ଦ୍ବିତୀୟ ଗୁରୁ ପଚାରିଲେ- କାରଣ?

ଶିଷ୍ୟ କହିଲା- ଗୋଟିଏ କାମ କରନ୍ତୁ। ମୁଁ ଆପଣଙ୍କ ନିକଟକୁ ଆସୁଛି ଏବ˚ ଆପଣଙ୍କ ଦ୍ବାରା ଆକର୍ଷିତ ହୋଇଛି ବୋଲି ଖବର ମୋ ଗୁରୁଙ୍କ କାନରେ ପକାଇ ଦିଅନ୍ତୁ। ସେ ଯଦି ଏହା ଶୁଣି ମୋତେ ବିଦା କରିଦିଅନ୍ତି, ତେବେ ମୁଁ ଯାହା କରିବା କଥା ଚିନ୍ତା କରିବି।

ଦ୍ବିତୀୟ ଗୁରୁ ଭାବିଲେ- ଆରେ ଏହା ତ ମୋ ଲାଗି ଗୋଟିଏ ବଡ଼ ବିଜୟ ହେବ।

ସୁତରାଂ ପ୍ରଥମ ଗୁରୁଙ୍କ ପାଖରେ ଖବର ପହଞ୍ଚିଲା। କିନ୍ତୁ ଦେଖାଗଲା ଯେ ଏ କଥା ଶୁଣି ପ୍ରଥମ ଗୁରୁ ଜମାରୁ ବିଚଳିତ ହେଲେ ନାହିଁ। ସେ କେବଳ କହିଲେ- ଆରେ, ତା ଖୁସିରେ ମୁଁ ଖୁସି। ତାକୁୁ ଯାହା ଭଲ ଲାଗୁଛି ସେ ତାହା କରୁ।

ଏହା ଶୁଣି ଦ୍ବିତୀୟ ଗୁରୁ ଶିଷ୍ୟଟିକୁ କହିଲେ- ଏବେ ମୁଁ ବୁଝିପାରୁଛି ତୁମେ ତୁମ ଗୁରୁଙ୍କୁ କାହିଁକି ଛାଡ଼ି ପାରିବ ନାହିଁ। କାରଣ ତୁମ ଦୁହିଁଙ୍କ ଭିତରେ ଅଛି ନିଃସର୍ତ୍ତ ଭଲ ପାଇବା।

ସମ୍ବନ୍ଧିତ ଖବର