ଜଣେ ଗୁରୁ ଏବଂ ତାଙ୍କ ଚେଲା କୌଣସି ଏକ ଅପରିଚିତ ସ୍ଥାନରେ ପହଞ୍ଚି ବିଶ୍ରାମ ନେବା ଲାଗି ମନ୍ଦିରଟିଏ ଖୋଜିଲା ବେଳକୁ ହଠାତ୍ ଜୁଟିଲା ଗୋଟିଏ ମଦ୍ୟପ। ହୃଷ୍ଟପୁଷ୍ଟ ଚେଲାଟି ମଦ୍ୟପକୁ ଯାଇ ପଚାରିଲା ଆଖପାଖରେ ମନ୍ଦିରଟିଏ ଅଛି କି?
ଏହା ଶୁଣି ସଂପୂର୍ଣ୍ଣ ନିଶାଗ୍ରସ୍ତ ଲୋକଟି ଚେଲାର ନାକକୁ ଧରି ପକାଇ କହିଲା- ତୁମେ ଜଣେ ଡଉଲଡାଉଲ ଗଧ। ତାହା ହୋଇ ନ ଥିଲେ ମଦ ଭାଟି କେଉଁଠି ଅଛି ବୋଲି ନ ପଚାରି ପଚାରନ୍ତ କି ମନ୍ଦିର କେଉଁଠି?
ଚେଲାଟି ଏହା ଶୁଣି ନିଜର କ୍ରୋଧ ସମ୍ବରଣ କରି ଚାଲି ଆସିଲା ବେଳକୁ ମଦ୍ୟପ ପଛ ଆଡୁ ଧକ୍କା ମାରି କହିଲା- ଗଧର ପୁଣି ଏତେ ମାନ?
ତରୁଣ ଚେଲାକୁ ତତାଇବା ଲାଗି ଏହା ଥିଲା ଯଥେଷ୍ଟ। ସେ ମଦ୍ୟପକୁ ମାଡ଼ି ବସି ଏମିତି ଉତ୍ତମ ମଧ୍ୟମ ଦେଲା ଯେ ସେ ସେଠାରୁ ପଳାୟନ କଲା।
ଏହା ପରେ ଚେଲା ଗୁରୁଙ୍କୁ ସନ୍ତୋଷର ସହ କହିଲା- ମୋତେ ଗଧ କହୁଥିଲା। ଦେଲି ପାନେ!
ଗୁରୁ କହିଲେ- ନା, ସେମିତି ନୁହେଁ। ପ୍ରକୃତରେ ସେ ଯାହା କହିଲା ତୁମେ ତାହା ପ୍ରମାଣ କରିଦେଲ।
ଚେଲା ବୁଝିପାରିଲା ଗୁରୁ କ’ଣ କହିବାକୁ ଚାହାନ୍ତି।
ଗୁରୁ କହିଲେ- ସେ ନିଶାଗ୍ରସ୍ତ ଥିଲା। ତେଣୁ ସେ ସେଇ ସମୟରେ ଥିଲା ଗୋଟିଏ ନିର୍ବୋଧ ପଶୁତୁଲ୍ୟ। ତା ଠାରୁ ସେଭଳି ବ୍ୟବହାର ଆଶା କରାଯାଉଥିଲା। କିନ୍ତୁ ତୁମେ ଯେତେବେଳେ କ୍ରୋଧରେ ହିତାହିତି ଜ୍ଞାନ ହରାଇ ତାକୁ ପିଟିଲ, ସେତିକି ବେଳେ ତୁମେ ବି ଏକ ବିଚାର ଶକ୍ତିରହିତ ପଶୁରେ ପରିଣତ ହେଲ। ଅର୍ଥାତ୍ ତାରି ଭାଷାରେ ତୁମେ ଗୋଟିଏ ଗଧ ପାଲଟିଗଲ।