ସର୍ବୋତ୍କୃଷ୍ଟ ଜ୍ଞାନ

କଥାଟିଏ - ଯାଯାବର

ସୁଫିମାନଙ୍କ ଭିତରେ ଥିବା ସର୍ବୋତ୍କୃଷ୍ଟ ପୁସ୍ତକର ବୃତ୍ତାନ୍ତ ଆସନ୍ତୁ ଜାଣିବା।

ଅନେକ ବର୍ଷ ତଳେ ଜଣେ ସୁଫି ଗୁରୁ ତାଙ୍କର ଯୋଗ୍ୟତମ ଚେଲାକୁ ବହିଟିଏ ଦେଇ କହିଲେ- ପୃଥିବୀରେ ଯାହା କିଛି ପଢ଼ିବା ଯୋଗ୍ୟ ସେ ସବୁ କିଛି ମୁଁ ଏଥିରେ ଲେଖିଛି। ୟାକୁ ପଢ଼ିବୁ ଓ ଚିନ୍ତା କରିବୁ। ଶିଷ୍ୟ ମୋଟା ବହିକୁ ଖୋଲି ଦେଖେ ତ ତା ଭିତରେ କିଛି ଲେଖା ନାହିଁ। ସେ ଗୁରୁଙ୍କୁ ପଚାରିଲା- ଆଜ୍ଞା, ଏଥିରେ ତ କିଛି ଲେଖା ନାହିଁ। ଗୁରୁ କହିଲେ- ତା ଅର୍ଥ ଏ ପୃଥିବୀରେ ପଢ଼ିବା ଯୋଗ୍ୟ କିଛି ନାହିଁ।

ଚେଲା ବହିଟିକୁ ଆଗ୍ରହର ସହିତ ରଖିଲା ଓ ତା’ର ଶେଷ ଅବସ୍ଥାରେ ସେ ତା’ର ପ୍ରିୟତମ ଚେଲାକୁ କହିଲା- ଏ ବହିଟି ପଢ଼ିବୁ, ଜାଣିବୁ ଓ ଚିନ୍ତା କରିବୁ। ଚେଲା ଦେଖେ ତ ସେଥିରେ ଗୋଟିଏ ମାତ୍ର ବାକ୍ୟ ଲେଖା ଅଛି- ପୃଥିବୀରେ ପଢ଼ିବା ଯୋଗ୍ୟ କିଛି ନାହିଁ। ଚେଲାଟି ଗୁରୁଙ୍କୁ କହିଲା- ଆଜ୍ଞା, ଯଦି ପଢ଼ିବା ଯୋଗ୍ୟ କିଛି ନାହିଁ ତେବେ କ’ଣ ଜାଣିବି? ଗୁରୁ ଏବେ କହିଲେ- ତାହା ହେଲେ ଏ ପୃଥିବୀରେ ଜାଣିବା ଯୋଗ୍ୟ ବି କିଛି ନାହିଁ।

ଚେଲାଟି ସେ ବହିଟି ଆଣି ରଖିଲା ଏବ˚ ଏ ଦୁଇଟି ଧାଡ଼ି ଉପରେ ଗଭୀର ଭାବେ ଚିନ୍ତା କଲା। ତାର ଅନ୍ତିମ ବେଳାରେ ସେ ତା’ର ପ୍ରିୟତମ ଚେଲାକୁ ବହିଟି ଦେଇ କହିଲା- ଏହା ହେଉଛି ସର୍ବୋତ୍ତମ ବହି। ଏହାକୁ ମନ ଦେଇ ପଢ଼ିବୁ। ଚେଲା ବହିଟିକୁ ଖୋଲି ଦେଖେ ତ ଲେଖା ଅଛି- ଏ ପୃଥିବୀରେ ପଢ଼ିବାଯୋଗ୍ୟ କିଛି ନାହିଁ। ଜାଣିବା ଯୋଗ୍ୟ କିଛି ନାହିଁ। ଏଥିରୁ କିଛି ବୁଝି ନ ପାରି ସେ ଗୁରୁଙ୍କୁ ଚାହିଁବାରୁ ଗୁରୁ କହିଲେ- ତାହା ହିଁ ସତ୍ୟ। କେବଳ ବୁଝିବାକୁ ଚେଷ୍ଟା କର। ଏହି ଚେଲା ଏବେ ବୃଦ୍ଧ ହେଲା ପରେ ବହିଟି ତା’ର ସର୍ବୋତ୍ତମ ଚେଲାକୁ ଦେଲା। ଏବେ ବହିଟିରେ ଲେଖା ଥିଲା- ଏ ପୃଥିବୀରେ ପଢ଼ିବା ଯୋଗ୍ୟ କିଛି ନାହିଁ। ଜାଣିବା ଯୋଗ୍ୟ କିଛି ନାହିଁ। କେବଳ ବୁଝିବାକୁ ଚେଷ୍ଟା କର।

ସୁଫିମାନଙ୍କ ଭିତରେ ଏହି ତିନି ଧାଡ଼ି ହେଉଛି ସର୍ବୋତ୍କୃଷ୍ଟ ଜ୍ଞାନ।

ସମ୍ବନ୍ଧିତ ଖବର