ଅଦୃଶ୍ୟ ତାଲା
କଥାଟିଏ - ଯାଯାବର
ବିଶ୍ବ ବିଖ୍ୟାତ ଯାଦୁକର ହୁଡିନିଙ୍କ ବିଶେଷ ପାରଦର୍ଶିତା ଥିଲା ତାଲା ଖୋଲିବାରେ। ତାଙ୍କ ହାତକୁ ଯେତେ ଟାଣୁଆ ହାତକଡ଼ିରେ ବାନ୍ଧି ଦିଆଗଲେ ମଧ୍ୟ ସେ ମାତ୍ର କେଇ ସେେକଣ୍ଡ ଭିତରେ ତାହା ଖୋଲି ଦେଉଥିଲେ। ତାଙ୍କ ପାରଦର୍ଶିତାକୁ ପରଖିବା ସକାଶେ ତାଙ୍କୁ ପୃଥିବୀର ଭିନ୍ନ ଜେଲ୍ରେ ପୂରେଇ ତାଲା ଉପରେ ତାଲା ପକାଇ ଦିଆଯାଉଥିଲା। କିନ୍ତୁ ସମସ୍ତଙ୍କୁ ଚମତ୍କୃତ କରି ସେ ବାହାରି ଆସୁଥିଲେ। ଥରେ ତାଙ୍କ ହାତ ଓ ଗୋଡ଼କୁ ହାତକଡ଼ି ଓ ବେଡ଼ିରେ ବାନ୍ଧି ତାଙ୍କୁ ଏକ ସିନ୍ଦୁକରେ ପୂରାଇ ଏବଂ ସିନ୍ଦୁକରେ ତାଲା ପକାଇ ସମୁଦ୍ର ଭିତରେ ଫିଙ୍ଗି ଦିଆଗଲା। ମାତ୍ର କେଇ ମିନିଟ୍ ଭିତରେ ହୁଡିନି ବାହାରକୁ ବାହାରି ଆସିଲେ।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ଥରେ ହୁଡିନି ହାରିଗଲେ। ଇଟାଲିରେ ଗୋଟିଏ ଘରୁ ସେ ବାହାରି ପାରିଲେ ନାହିଁ। କେଇ ଘଣ୍ଟା ପରେ ଝାଳନାଳ ହୋଇ ପ୍ରାୟ ଅର୍ଧଚେତନ ଅବସ୍ଥାରେ ସେ ଘରୁ ଘୁଷୁରି ଘୁଷୁରି ବାହାରିଲେ। ସାରା ଦୁନିଆ ଆଚମ୍ବିତ ହୋଇଗଲା।
କଥା କ’ଣ? ହୁଡିନି ହାରିଲେ କେମିତି? କଥା ହେଲା ଏୟା ଯେ ସେହି କବାଟରେ ଆଦୌ ତାଲା ହିଁ ନ ଥିଲା ଏବଂ ତାକୁ କେବଳ ଟାଇଟ୍ କରି ଆଉଜାଇ ଦିଆଯାଇଥିଲା। ଅଦୃଶ୍ୟ ତାଲାକୁ ଖୋଜି ଖୋଜି ନୟାନ୍ତ ହୋଇ ନିଜର ଆତ୍ମପ୍ରତ୍ୟୟ ହରାଇ ହୁଡ଼ିନି ପ୍ରାୟ ଅର୍ଧଚେତନ ଅବସ୍ଥାରେ କବାଟ ଉପରେ ଢଳି ପଡ଼ିବାରୁ ତାହା ଆପେ ଆପେ ଖୋଲିଗଲ।
ଏହା କହିସାରି ୟୁଜିକେ କହିଲେ- ଅନେକ ସ୍ଥାନରେ ପାଣ୍ଡିତ୍ୟ ହାରିଯାଏ ଏବଂ ନିରୀହ ନିର୍ବୋଧତା ଜିତିଯାଏ। ହୁଡ଼ିନିଙ୍କ ବିଦ୍ୟା ସେଇଠି ତାଲା ଖୋଜୁଥିଲା ଯେଉଁଠି ତାଲା ହିଁ ନ ଥିଲା। ଜଣେ ସାଧାରଣ ଲୋକ ତାହା ଅକ୍ଳେଶରେ ଜାଣିପାରିଥାଆନ୍ତା।