ଗୋଟିଏ ସହରକୁ ଏକ ନୃତ୍ୟ ଦଳ ଆସିଲା। ସୁନ୍ଦରୀ ନର୍ତ୍ତକୀମାନେ ଚିତ୍ତାକର୍ଷକ ନୃତ୍ୟ ପ୍ରଦର୍ଶନ କଲେ। ସହରବାସୀ ଏହାକୁ ବେଶ୍ ଉପଭୋଗ କଲେ।
ଦିନେ ସକାଳେ ନୃତ୍ୟ ଦଳର ମୁଖ୍ୟ ଗୋଟିଏ କ୍ଷୁଦ୍ର ଚିଠି ପାଇଲେ। ଚିଠିଟି ଲେଖିଥିଲେ ସହରର ଏକ ବଡ଼ ମନ୍ଦିରର ମୁଖ୍ୟ ପୂଜକ। ସେ ଲେଖିଥିଲେ- ମହାଶୟ, ଆପଣଙ୍କ ଦଳ ଦ୍ବାରା ପ୍ରଦର୍ଶନ କରାଯାଉଥିବା ନୃତ୍ୟର ବହୁ ପ୍ରଶଂସା ଶୁଣିବାକୁ ପାଉଛି। ମୁଁ ମଧ୍ୟ ନାଚ ଦେଖିବାକୁ ଚାହେଁ। ତେଣୁ ପଚାରୁଛି ଆପଣ ଯେଉଁ ତମ୍ବୁ ପକାଇଛନ୍ତି ତହିଁରେ ପ୍ରବେଶ କରିବା ଲାଗି ପଛ ପଟେ କୌଣସି ଦ୍ବାର ଅଛି କି? ଯଦି ଅଛି ତେବେ ନୃତ୍ୟ ପ୍ରଦର୍ଶନ ଆରମ୍ଭ ହେବା ବେଳେ ଯେତେବେଳେ ସବୁ ଆଲୋକକୁ ଲିଭାଇ ଦିଆଯାଏ, ସେତିକି ବେଳେ ମୁଁ ପଛ ଦ୍ବାରରେ ପଶି ନୃତ୍ୟ ଦେଖନ୍ତି। ଆପଣ ରାଜି ହେଲେ ତାହା ସମ୍ଭବ ହୁଅନ୍ତା।
ଏହାର ଉତ୍ତରରେ ନୃତ୍ୟ ଦଳର ମୁଖ୍ୟ ଲେଖିଲେ- ମହାଶୟ, ପତ୍ର ପାଇଲି। ଆମ ତମ୍ବୁରେ ଆମେ ପଛ ପଟେ ଗୋଟିଏ ଗଳା ବାଟ ଅବଶ୍ୟ ରଖିଛୁ। କାରଣ ଆମେ ଯେଉଁ ଯେଉଁ ସ୍ଥାନକୁ ଯାଉ, ସେ ସବୁ ସ୍ଥାନରେ ମନ୍ଦିରର ପୂଜକମାନେ ଏଭଳି ଗଳା ବାଟେର ପଶି ନାଚ ଦେଖିବାକୁ ଚାହାନ୍ତି। ଆପଣ ଯେଭଳି କରିଛନ୍ତି, ସେଭଳି ଅନୁରୋଧ ମୁଁ ସବୁ ବେଳେ ପାଏ। ମୁଁ ଏଥିରେ ରାଜି। ତେବେ କେବଳ ଗୋଟିଏ ପ୍ରଶ୍ନ ପଚାରିବାର ଅଛି। ଆପଣ ସିନା ସହରର ଲୋକଙ୍କ ଆଖିରୁ ବର୍ତ୍ତିଯିବେ, କିନ୍ତୁ ପରମେଶ୍ବରଙ୍କ ଆଖିରୁ ବାଦ ପଡ଼ିବେ କି?
ଏହାର ଏକ ଦୁଇ ଧାଡ଼ିଆ ଉତ୍ତର ପୂଜକଙ୍କ ନିକଟରୁ ଆସିଲା- ପରମେଶ୍ବର ତ ସବୁ ଦେଖୁଛନ୍ତି। କିନ୍ତୁ ସେ କଥା ଧରିଲେ ଏ ମର୍ତ୍ତ୍ୟରେ ଚଳି ହେବ କି?