ଥରେ ଜେନ୍ ଗୁରୁ ନେନେଙ୍କ ପାଖରେ ପହଞ୍ଚିଲେ ଜଣେ ଶୋକାଭିଭୂତ ବ୍ୟକ୍ତି। ସେ ତାଙ୍କର କନିଷ୍ଠ ଭ୍ରାତାଙ୍କୁ ହରାଇଥିଲେ। ନେନେଙ୍କୁ ସେ କହିଲେ- ମୋତେ ସେହି ଦୁଃଖ ସର୍ବଦା ଘାରୁଛି। ମୁଁ କେମିତି ସେଥିରୁ ମୁକ୍ତି ପାଇବି ତାର ବାଟ ଦେଖାନ୍ତୁ।
ନେନେ କହିଲେ- ଆପଣଙ୍କ ଦୁଃଖ ଅତ୍ୟନ୍ତ ଗଭୀର। କିନ୍ତୁ ତାର କାରଣ ହେଲା ଆପଣ ଭଗବାନଙ୍କ ଏ ସୃଷ୍ଟିକୁ ଭଲ ଭାବେ ବୁଝି ନାହାନ୍ତି। ଭଗବାନ କେବେ ହେଲେ ଏମିତି କୌଣସି ଭୁଲ ସଂକେତ ଦିଅନ୍ତି ନାହିଁ ଯାହା ଆମକୁ ବାଟବଣା କରିବ। କିନ୍ତୁ ଆମର ଦୁର୍ଭାଗ୍ୟ ଯେ ଆମେ ସେ ସଂକେତକୁ ବୁଝି ପାରୁନା।
ସେହି ବ୍ୟକ୍ତି କହିଲେ- ଆପଣ ଯାହା କହୁଛନ୍ତି ତାହା ମୁଁ ବୁଝିପାରୁଛି। ଆପଣଙ୍କ କଥାର ମର୍ମ ଯେ ମଣିଷ ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ ବୋଲି ଜାଣି ସୁଦ୍ଧା ଆମେମାନେ ତାହା ନ ବୁଝି ମୋହ-ମାୟାରେ ଛନ୍ଦି ହୋଇଥାଉ ବୋଲି ଦୁଃଖ ପାଉ। ହେଲେ, ନେନେ, ମୋ ଭାଇ ତାର ତାରୁଣ୍ୟରେ ଚାଲିଗଲା! ତାହା କ’ଣ ଯିବାର ବୟସ? ମୋ ଭଳି ଜଣେ ପରିପକ୍ବ ବ୍ୟକ୍ତି ଥାଉଁ ଥାଉଁ ଜଣେ ତରୁଣ ଚାଲିଯିବା କ’ଣ ଉଚିତ?
ନେନେ କହିଲେ- ମୁଁ ସେହି କଥା କହୁଛି। ଆପଣ ଏ ସୃଷ୍ଟିର ତତ୍ତ୍ବକୁ ଅଧା ବୁଝିଛନ୍ତି। ପକ୍ବ ହେଲା ପରେ ଜଣେ ବିଦାୟ ନେବା ଉଚିତ ବୋଲି ନିୟମଟିଏ ଆମେମାନେ କରିଛୁ। କିନ୍ତୁ ଭଗବାନ ସେମିତି କିଛି ନିୟମ କରି ନାହାନ୍ତି। ସେ ଏ ସଂସାରରୁ ଯେଉଁମାନଙ୍କୁ ନେଇ ଯାଆନ୍ତି ସେମାନଙ୍କ ଭିତରେ ଉଭୟ କଞ୍ଚା ଓ ପାଚିଲା ମିଶି ରହିଥାଆନ୍ତି। ତେଣୁ ଈଶ୍ବରଙ୍କ ନିୟମ କେବଳ ଗୋଟିଏ- ମୃତ୍ୟୁ ହେଉଛି ଏକମାତ୍ର ସତ୍ୟ, ଆଉ ସବୁ କିଛି ଅନିଶ୍ଚିତ। କିନ୍ତୁ ଆମେମାନେ ନିଜ ତିଆରି ନିୟମକୁ ମାନ୍ୟତା ଦେଉ ବୋଲି ଅଧିକ କଷ୍ଟ ପାଉ।