ଗୋଟିଏ ରାଜ୍ୟରେ ଥିଲେ ଜଣେ ଅତ୍ୟନ୍ତ ପ୍ରସିଦ୍ଧ ଜ୍ୟୋତିଷ। କୁହାଯାଉଥିଲା ଯେ ତାଙ୍କ ଭବିଷ୍ୟତ ବାଣୀ କଦାପି ମିଛ ହେଉ ନ ଥିଲା।
ଦିନକର କଥା। ନିଶାର୍ଧରେ ରାତି ଆକାଶର ନକ୍ଷତ୍ରମାନଙ୍କ ଆଡ଼କୁ ଚାହିଁ ଓ ଗଣନା କରି କରି ଯାଉଥିବା ବେଳେ ଜ୍ୟୋତିଷ ଜଣକ ଗଳିପଡ଼ିଲେ ଗୋଟିଏ ଗଭୀର ଗାତରେ। ଯେତେ ଚେଷ୍ଟା କଲେ ବି ସେ ଗାତରୁ ବାହାରି ପାରିଲେ ନାହିଁ। ତେଣୁ ସେ ତାଙ୍କୁ ରକ୍ଷା କରିବା ଲାଗି ଡାକ ପକାଇଲେ। କିନ୍ତୁ ରାତି ଅଧରେ ତାଙ୍କ ଡାକ ଶୁଣିବ କିଏ? ଚତୁର୍ଦିଗରେ ନିଶାର ସାଇଁ ସାଇଁ ଗର୍ଜନ ଶୁଭୁଥିଲା।
ତେବେ, ହଠାତ୍ ସେ ଶୁଣିଲେ ପାଦ ଶବ୍ଦ। କଥା ହେଲା, କିଛି ଦୂରରେ ଗୋଟିଏ କୁଡ଼ିଆରେ ଜଣେ ବୁଢ଼ୀ ରହୁଥିଲେ, ଯିଏ କି ଜ୍ୟୋତିଷଙ୍କ ଚିତ୍କାରକୁ ଠାବ କରି ସେଠାରେ ପହଞ୍ଚି ଥିଲେ। ବଡ଼ କଷ୍ଟରେ ସେ ଜ୍ୟୋତିଷଙ୍କୁ ଗାତରୁ ବାହାର କଲେ। ଗାତରୁ ବାହାରିବା ପରେ ଜ୍ୟୋତିଷ କହିଲେ- ମାଆ, ତୁମକୁ ମୋର କୃତଜ୍ଞତା। ତୁମେ ଜାଣି ନାହଁ ଯେ ତୁମେ ଆଜି କାହାକୁ ଉଦ୍ଧାର କରିଛ। ମୁଁ ହେଉଛି ଏ ରାଜ୍ୟର ରାଜ ଜ୍ୟୋତିଷ। ରାଜା ତାଙ୍କ ଭବିଷ୍ୟତ କଥା ଜାଣିବା ଲାଗି ମୋତେ ଲୋଡ଼ନ୍ତି। ଥରକର ଗଣନା ଲାଗି ମୁଁ ଏକ ହଜାର ସ୍ବର୍ଣ୍ଣ ମୁଦ୍ରା ନେଇଥାଏ। କିନ୍ତୁ ତୁମେ ମୋର ଜୀବନ ବଞ୍ଚାଇ ଥିବାରୁ ତୁମର ଭବିଷ୍ୟତ ମୁଁ ମାଗଣାରେ ବତାଇବି। କାଲି ତୁମେ ମୋ ଘରକୁ ଆସ।
ଏହା ଶୁଣି ବୃଦ୍ଧା ହସିଲେ ଓ କହିଲେ- ବାପ, ମୋର ଭବିଷ୍ୟତ ବିଷୟରେ ଜାଣିବା ଦରକାର ନାହିଁ। ହାତକ ଆଗରେ ଗାତଟିଏ ଅଛି ବୋଲି ଜାଣି ପାରିଲ ନାହିଁ ଓ ସେଥିରେ ଗଳି ପଡ଼ିଲ। ଏବେ ଆହୁରି ଆଗକୁ ଦେଖିବା କଥା କହୁଛ!