ମୁଲ୍ଲା ନସିରୁଦ୍ଦିନଙ୍କ ବନ୍ଧୁ ଥିଲେ ବଡ଼ ବିଦ୍ବାନ। କୌଣସି ପ୍ରସଙ୍ଗରେ ବି ସେ ତର୍କ କରିପାରୁଥିଲେ। ତେଣୁ ସେ ସମସ୍ତଙ୍କୁ ହେୟ ଜ୍ଞାନ କରୁଥିଲେ। ତେବେ, ବୁଦ୍ଧିମାନ ମୁଲ୍ଲାଙ୍କ ପ୍ରତି ତାଙ୍କର ଟିକିଏ ସମ୍ମାନ ଥିଲା।
ଦିନେ ସେ ମୁଲ୍ଲାଙ୍କ ଘରକୁ ବୁଲିବା ଲାଗି ଆସିଥିଲେ। ଘର ଭିତରେ ଦୁଇ ବନ୍ଧୁ କଥାବାର୍ତ୍ତା ହେଉଥିବା ବେଳେ ବାହାରୁ ଯୁକ୍ତିତର୍କ ଏବଂ ପାଟିତୁଣ୍ତ ଶୁଣାଗଲା। ଦୁହେଁ ବାହାରକୁ ଯାଇ ଦେଖନ୍ତି ତ ଈଶ୍ବର ଅଛନ୍ତି ନା ନାହାନ୍ତି ଏ ବିଷୟରେ କିଛି ମୂର୍ଖଙ୍କ ଭିତରେ ଯୁକ୍ତିତର୍କ ଚାଲିଛି।
ମୁଲ୍ଲା ଏହା ଦେଖି ଭିତରକୁ ଚାଲିଯାଉଥିବା ଦେଖି ତାଙ୍କ ବନ୍ଧୁ ତାଙ୍କ ହାତକୁ ଧରି ପକାଇ କହିଲେ- ମୁଲ୍ଲା ଭିତରକୁ କୁଆଡ଼େ ଯାଉଛ? ଏ ମାମଲାରେ ଆମେ ପଶିବା ଦରକାର। ଶୁଣ କେଉଁ ବିଷୟ ଉପରେ ଏମାନେ ତର୍କ କରୁଛନ୍ତି? ଈଶ୍ବରଙ୍କ ଅସ୍ତିତ୍ବ। ଯଦି ଆମ ତୁମ ଭଳି ଲୋକେ ଏ ବିଷୟରେ ସ˚ଶୟ ବିମୋଚନ ନ କରନ୍ତି, ତେବେ ଆଉ କରିବ କିଏ?
ମୁଲ୍ଲା ଏହା ଶୁଣି ନରମ ଭାବେ କହିଲେ- ତୁମେ କର, ମୋର ଅନ୍ୟ କାମ ଅଛି।
ବିଦ୍ବାନ ଜଣକ ମୁଲ୍ଲାଙ୍କୁ ମନେ ମନେ ତିରସ୍କାର କରି ସେଇ ଯୁକ୍ତି କରୁଥିବା ଲୋକଙ୍କ ଭିତରେ ପଶି ତାଙ୍କର ଯୁକ୍ତି ଦେବାକୁ ଲାଗିଲେ। କିଛି ସମୟ ପରେ ପାଟିଗୋଳ ଆହୁରି ତୀବ୍ର ଶୁଭିଲା ଏବ˚ ବିଦ୍ବାନ ଜଣକ ଊର୍ଦ୍ଧ୍ବଶ୍ବାସରେ ମୁଲ୍ଲାଙ୍କ ଘରକୁ ଦୌଡ଼ି ପଶିଯିବାର ଦେଖାଗଲା। ଏହାର କାରଣ ଥିଲା ଯୁକ୍ତି କରୁଥିବା ଲୋକେ ତାଙ୍କୁ ଛେଚିବା ଲାଗି ଉଦ୍ୟମ କରିଥିଲେ।
ଏହା ଦେଖି ମୁଲ୍ଲା ତାଙ୍କୁ କହିଲେ- ବନ୍ଧୁ ତୁମେ କେବଳ ତର୍କର ବିଷୟକୁ ଦେଖି ତା ଭିତରକୁ କୁଦି ପଡ଼ିଲ। କିନ୍ତୁ କେଉଁମାନେ ତର୍କ କରୁଛନ୍ତି ଦେଖିବା ପରେ ମୁଁ ତହିଁରୁ ଦୂରେଇ ଗଲି।