ପାଦ୍ରି ଓ ଯୋଗାନନ୍ଦ

କଥାଟିଏ - ଯାଯାବର

ବିଦେଶକୁ ଯାଉଥିବା ଏକ ଜାହାଜର ଡେକ୍‌ରେ ଜଣେ ପାଦ୍ରି ଭାରତୀୟ ସାଧୁ ଯୋଗାନନ୍ଦ ଧ୍ୟାନରେ ତଲ୍ଲୀନ ହୋଇଯାଇଥିବା ଦେଖି ପର ଦିନ ତାଙ୍କୁ ପଚାରିଲେ- ଗତ କାଲି ଆପଣଙ୍କୁ ଦେଖି ଲାଗିଲା ସତେ ଯେମିତି ଆପଣ ପରମେଶ୍ବରଙ୍କ ସହିତ ମିଳିତ ହୋଇଯାଇଛନ୍ତି। ଯେତେ ଚେଷ୍ଟା କଲେ ବି ମୋ ଲାଗି ତାହା ସମ୍ଭବ ହେଉନାହିଁ। ଆପଣ କେମିତି ଏହା ସମ୍ଭବ କରିପାରୁଛନ୍ତି?

ଯୋଗାନନ୍ଦ କହିଲେ- ଏଥି ଲାଗି ଗୋଟିଏ ଉପାୟ ଅଛି। ତାହା ହେଲା ନିଜକୁ ନିଶ୍ଚିହ୍ନ କରିଦେବା।

ପାଦ୍ରି ଏହାର ମର୍ମ ବୁଝି ନ ପାରିବାରୁ ଯୋଗାନନ୍ଦ ତାଙ୍କୁ ଗୋଟିଏ ଦିଗକୁ ଦେଖିବାକୁ ଇସାରା କଲେ। ଜାହାଜ ପାଖରେ ସମୁଦ୍ରରେ ଭାସି ବୁଲୁଥିଲା କୌଣସି ଜଣେ ଯାତ୍ରୀଙ୍କ ଦ୍ବାରା ପରିତ୍ୟକ୍ତ ପ୍ଲାଷ୍ଟିକ ପାଣି ବୋତଲ। ତା’ ଭିତରେ ଅଧା ପାଣି ଥିଲା। ବୋତଲର ଠିପି ବନ୍ଦ ଥିଲା।

ଯୋଗାନନ୍ଦ କହିଲେ- ଦେଖନ୍ତୁ, ଏ ଠିପି ବନ୍ଦ ବୋତଲରେ ଥିବା ପାଣି ମୁନ୍ଦାକ ଯେତେ ଚାହିଁଲେ ବି ମହାସାଗରରେ ମିଶି ପାରିବ ନାହିଁ। କିନ୍ତୁ, ଏଣେ କେତେ କେତେ ବଡ଼ ବଡ଼ ନଦୀ ମହାସାଗରରେ ନିଜକୁ ହଜାଇ ଦେଇଛନ୍ତି। ଏହାର ଅର୍ଥ ନିଜର ଅସ୍ତିତ୍ବକୁ ନିଶ୍ଚିହ୍ନ କରିବାକୁ ପ୍ରସ୍ତୁତ ନ ହେବା ଯାଏଁ ମୁନ୍ଦାଏ ପାଣି ବି ମହାସାଗରରେ ମିଶିପାରିବ ନାହିଁ। ଏଥି ଲାଗି ତାକୁ ବୋତଲର ବନ୍ଧନରୁ ମୁକ୍ତ ‌‌ହେବାକୁ ପଡ଼ିବ। ସେମିତି ଆମେମାନେ ‘ମୁ’ତ୍ବର ବୋତଲ ଭିତରେ ବନ୍ଦୀ। ସେଥିରୁ ବାହାରି ପାରିଲେ ଆମେ ପରମେଶ୍ବରଙ୍କ ଭିତରେ ନିଶ୍ଚିହ୍ନ ହୋଇପାରିବା, ତଲ୍ଲୀନ ‌ହୋଇପାରିବା

ସମ୍ବନ୍ଧିତ ଖବର