ବୁଦ୍ଧ ଓ ଆନନ୍ଦ

କଥାଟିଏ - ଯାଯାବର

ଥରେ ଗୌତମ ବୁଦ୍ଧ ତାଙ୍କ ଶିଷ୍ୟମାନଙ୍କ ସହିତ ଗୋଟିଏ ତୋଟା ମୂଳରେ ବିଶ୍ରାମ କରୁଥିଲେ। ତାଙ୍କ ସହିତ ନୂଆ ଓ ପୁରୁଣା ହୋଇ ଅନେକ ଶିଷ୍ୟ ଥିଲେ।

ସେତେବେଳକୁ ସମୟ ଦ୍ବିପହର। ବୁଦ୍ଧ ଶୋଇ ପଡ଼ିଥିଲେ। ଏହି ସମୟରେ କାହାର ଉତ୍ତେଜିତ କଥା ଶୁଣି ତାଙ୍କର ନିଦ ଭାଙ୍ଗିଗଲା। ସେ ଦେଖିଲେ ଯେ ତାଙ୍କର ପଟ୍ଟଶିଷ୍ୟ ଆନନ୍ଦ ତାଙ୍କର ଜଣେ ନୂତନ ଶିଷ୍ୟକୁ କୌଣସି କାରଣ ଲାଗି ମୃଦୁ ଭର୍ତ୍ସନା କରୁଛନ୍ତି।

ବୁଦ୍ଧ ଆନନ୍ଦଙ୍କୁ ଡାକି ଏଭଳି କରୁଥିବାର କାରଣ ବାବଦରେ ପଚାରିଲେ।

ଆନନ୍ଦ କହିଲେ- ମହାଭାଗ, ଆମେମାନେ ବିଶ୍ରାମ ନେଉଥିବା ବେଳେ ଗୋଟିଏ ବୁଲା କୁକୁର ଆମ ଭିତରକୁ ପଶିଆସିଲା। ତାହା ଦେଖି ସେଇ ତରୁଣ ଶିଷ୍ୟ ଜଣକ ଗୋଟିଏ ବଡ଼ କାଠ ଧରି ତା ଆଡ଼କୁ ଲକ୍ଷ୍ୟ କରି ଫୋପାଡ଼ିଲେ। କୁକୁରଟି ପଳାଇଗଲା। ଭାଗ୍ୟକୁ କୁକୁର ଦେହରେ ତାହା ବାଜିଲା ନାହିଁ। କିନ୍ତୁ ବାଜିଥିଲେ ତାର ପ୍ରାଣ ଚାଲିଯାଇଥାଆନ୍ତା। ସେଥି ଲାଗି ମୁଁ ତାଙ୍କ ଉପରେ ବିରକ୍ତ ହେଉଥିଲି।

ବୁଦ୍ଧ ହସିଲେ ଏବଂ ଆନନ୍ଦଙ୍କୁ କହିଲେ- ଆନନ୍ଦ ତୁମେ ଏବେ ସୁଦ୍ଧା ମୋର କଥାକୁ ବୁଝି ପାରିନାହଁ। କୁକୁରଟି ଦେହରେ ତାହା ବାଜିଲା କି ନ ବାଜିଲା ବା କୁକୁରର କ’ଣ କ୍ଷତି ହେଲା ବା ନ ହେଲା ତାହା ଯେତିକି ଗୁରୁତ୍ବପୂର୍ଣ୍ଣ, ତା’ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଏଭଳି କାମ କରିଥିବା ଯୁବକ ନିଜକୁ ଯେଉଁ କ୍ଷତି ପହଞ୍ଚାଇଲା। ଏହା ହେଉଛି ତାର ହୃଦୟରୁ କରୁଣାର ଝର ଶୁଖି ଆସିବାର ଲକ୍ଷଣ। କେବଳ ସେହି କଥା ତାକୁ ବୁଝାଇ ଦିଅ।

ସମ୍ବନ୍ଧିତ ଖବର