ଉଦାରବାଦୀ ଯୁବକ

କଥାଟିଏ - ଯାଯାବର

ୟୁଜି କୃଷ୍ଣମୂର୍ତ୍ତିଙ୍କୁ ଜଣେ ପ୍ରଗତିଶୀଳ ଯୁବକ କହିଲେ- ଆମ ସମାଜ ଲାଗି ଧର୍ମାନ୍ଧମାନେ ହେଉଛନ୍ତି ସବୁଠାରୁ ବଡ଼ ବିପଦ। କିନ୍ତୁ କେବଳ ଧର୍ମ କାହିଁକି, ଯେ କୌଣସି ବିଚାରର ସମର୍ଥନରେ ଅନ୍ଧ ହୋଇଯିବା ବିପଜ୍ଜନକ। ସେ ଦୃଷ୍ଟିରୁ ମୁଁ ପ୍ରଗତିଶୀଳ, ଉଦାରଚେତା।

ୟୁଜିକେଙ୍କୁ ସେ ଏହି କଥା କହୁଥିବା ବେଳେ ପାଖରେ ବସିଥିଲେ ଜଣେ ଧାର୍ମିକ ମୌଳବାଦୀ। ସେ ଏହି ପ୍ରଗତିଶୀଳ ଉଦାରବାଦୀ ବ୍ୟକ୍ତିଙ୍କୁ ବିରୋଧ କରି କହିଲେ- ମୌଳବାଦୀମାନେ କାହିଁକି ବିପଜ୍ଜନକ ତାହା ବୁଝାନ୍ତୁ।

ଅଗତ୍ୟା ଯୁବକ ଆଉ କରିବେ କ’ଣ? ସେହି ବ୍ୟକ୍ତିଙ୍କୁ ବୁଝାଇବାକୁ ଚେଷ୍ଟା କଲେ। କିନ୍ତୁ ମୌଳବାଦୀଜଣକ ବୁଝିବାର ପାତ୍ର ନ ଥିଲେ। ସୁତରାଂ, ତାହା ଯୁକ୍ତିତର୍କରେ ପରିଣତ ହେଲା। ତା’ ପରେ ତାହା ସାଧାରଣତଃ ଯେଉଁ ଦିଗ ଧରେ, ତାହା ଧରିଲା। କିଛି ସମୟ ପରେ ନିଜ ନିଜ ମତରେ ଅଟଳ ଦୁହିଁଙ୍କର ଗର୍ଜନ ତର୍ଜନ ଶୁଭିଲା। ସେମାନେ ଆଲୋଚ୍ୟ ବିଷୟକୁ ଭୁଲିଯାଇ ପରସ୍ପରକୁ ଗାଳି ଦେବାରେ ଲାଗିଲେ।

ୟୁଜିକେ ଦୁହିଁଙ୍କୁ ଶାନ୍ତ କଲେ। ତା’ ପରେ ରାଗ ତମତମ ହେଉଥିବା ଉଦାରବାଦୀ ଯୁବକଙ୍କୁ କହିଲେ- ତୁମେ ତ କମ୍ ମୌଳବାଦୀ ନୁହଁ? ଅନ୍ୟର ତର୍କକୁ ଗ୍ରହଣ କରିବାର ଉଦାରତା ତୁମର କାହିଁ?

ସମ୍ବନ୍ଧିତ ଖବର