ନାନା ବାହାନା

କଥାଟିଏ - ଯାଯାବର

ଥରେ ଗୁରୁ ୟୁଜିକେ କହିଲେ ଯେ ନିଶାଗ୍ରସ୍ତ ଲୋକେ ସେମାନଙ୍କ ନିଶା ଅଭ୍ୟାସକୁ ଛାଡ଼ି ପାରନ୍ତି ନାହିଁ। ନିଶାକୁ ଛାଡ଼ିବା ଲାଗି ଦୃଢ଼ ଇଚ୍ଛା ଶକ୍ତି ଲୋଡ଼ା ପଡ଼ିଥାଏ, ଯାହା ଅଧିକାଂଶଙ୍କ ଠାରେ ନ ଥାଏ। ସେଥିଲାଗି ସେମାନେ ନାନା ପ୍ରକାର ବାହାନା ଜରିଆରେ ନିଶାର ଅଭ୍ୟାସକୁ ଆଗେଇ ନିଅନ୍ତି। ଏବେ ଶୁଣନ୍ତୁ ମଜା କଥାଟିଏ।

ଜଣେ ମଦ୍ୟପ ପ୍ରତି ଦିନ ପାନାଳୟରେ ବସି ଦୁଇ ଗିଲାସ ମଦ ମଗାଉଥିଲେ। ତାହା ଆସିଯିବା ପରେ ଉଭୟ ଗିଲାସରୁ ଥର ଥର କରି ପିଉଥିଲେ।

ପ୍ରତିଦିନ ଏଭଳି ଦେଖି ମଦ ପରିବେଷଣ କରୁଥିବା ଯୁବକ ଜଣକ ପଚାରିଲେ- ଆପଣ ଏମିତି ଦୁଇଟି ଗିଲାସ ମଦ ମଗାଇ ପିଉଛନ୍ତି କାହିଁକି?

ମଦ୍ୟପ ଉତ୍ତର ଦେଲେ- ଗୋଟିଏ ଗିଲାସ ମୋ ଲାଗି ଆଉ ଗୋଟିଏ ଗିଲାସ ମୋ ପ୍ରିୟ ମିତ୍ରଙ୍କ ସ୍ମୃତିରେ।

ଏମିତି କିଛି ଦିନ ଗଲା ପରେ ଦିନେ ସେହି ମଦ୍ୟପ ଗୋଟିଏ ଗିଲାସ ମଗାଇଲେ। ଏହା ଦେଖି ପରିବେଷଣକାରୀ ଚକିତ ହୋଇ ପଚାରିଲା- ଆଜି ଆପଣ କେମିତି ନିଜ ବନ୍ଧୁଙ୍କୁ ଭୁଲିଗଲେ?

ମଦ୍ୟପ କହିଲେ- ମିତ୍ରମାନଙ୍କୁ କ’ଣ କେବେ ଭୁଲି ହୁଏ? କଥା ହେଲା ମୁଁ ଜଣେ ସାଧୁଙ୍କ ପାଖରେ ଦୀକ୍ଷା ନେଇଛି ଏବଂ ମଦ ପିଇବା ଛାଡ଼ି ଦେଇଛି। ଏବେ ଯେଉଁଟା ମୁଁ ପିଉଛି, ତାହା ମୋ ମିତ୍ରଙ୍କ ପାଇଁ!

ସମ୍ବନ୍ଧିତ ଖବର