ସର୍ବଶ୍ରେଷ୍ଠ ଉତ୍ତର

କଥାଟିଏ - ଯାଯାବର

ଆଜିକୁ ଦେଢ଼ ହଜାର ବର୍ଷ ପୂର୍ବେ ବୋଧିଧର୍ମ ଚୀନ ଯାଇଥିଲେ। ବୋଧିଧର୍ମ ଥିଲେ ଜଣେ ପ୍ରଚଣ୍ଡ ବିଦ୍ବାନ ଓ ପ୍ରାଜ୍ଞ ପୁରୁଷ। ସେତେବେଳକୁ ଚୀନରେ ବୌଦ୍ଧ ଧର୍ମ ବିକାଶ ଲାଭ କରିସାରିଥାଏ। ବୋଧିଧର୍ମ ଚୀନକୁ ଆସିଥିବାର ଜାଣି ସେ ପ୍ରଦେଶର ରାଜା ସେଠାକୁ ଗଲେ। ବୋଧିଧର୍ମଙ୍କ ଆଗରେ ରାଜା ପ୍ରଥମେ ନିଜର ଅନେକ ବଡ଼ିମା ବଖାଣିଲେ। ଶେଷରେ ନିଜର ଜ୍ଞାନର ଗଭୀରତାକୁ ଯାଇ ତାଙ୍କୁ ପଚାରିଲେ- କହନ୍ତୁ ଧର୍ମ କହିଲେ କ’ଣ?

ବୋଧିଧର୍ମ କହିଲେ- ଧର୍ମ କ’ଣ ମୁଁ ଜାଣିନାହିଁ। ଜିଇଲେ ସେ ବିଷୟରେ ଜାଣି ହେବ।

ରାଜା ଏଥର କହିଲେ- ଏବେ କୁହନ୍ତୁ ଆପଣ କିଏ?

ବୋଧିଧର୍ମ କହିଲେ- ମୁଁ ଜାଣିନାହିଁ।

ଏହା ଶୁଣି ବିରକ୍ତିରେ ରାଜା କହିଲେ- ଭାବିଥିଲି ଆପଣଙ୍କ ଠାରୁ କିଛି ଦିଗ୍‌ଦର୍ଶନ ମିଳିବ। କିନ୍ତୁ ହାୟ!

ଏହା କହି ରାଜା ସେଠାରୁ ଚାଲିଗଲେ।

ସେଠାରେ ଉପସ୍ଥିତ ବୋଧିଧର୍ମଙ୍କ ଶିଷ୍ୟମାନେ କହିଲେ- ଆପଣ ଏ କି ପ୍ରକାର ଉତ୍ତର ଦେଲେ? ରାଜା ନିରାଶ ହେଲେ !

ବୋଧିଧର୍ମ କହିଲେ- ପ୍ରତି ପ୍ରଶ୍ନର ଅନେକ ଉତ୍ତର ଥାଏ। ଯେତେବେଳେ ଶୁଣିଲି ଯେ ରାଜ୍ୟର ରାଜା ଆସିଛନ୍ତି, ଭାବିଲି ରାଜ୍ୟର ରାଜା ଭାବେ ସେ ସର୍ବଶ୍ରେଷ୍ଠ ଉତ୍ତରର ହକଦାର। ତେଣୁ ତାଙ୍କ ଲାଗି କେବଳ ଚୂଡ଼ାନ୍ତ ଉତ୍ତର ହିଁ କହିଲି। ମୁଁ କ’ଣ ଜାଣିଥିଲି ଯେ ରାଜା ଏତେ ନିର୍ବୋଧ ବୋଲି?

ସମ୍ବନ୍ଧିତ ଖବର