ସବୁ ଛାଡ଼ିଦିଅ

କଥାଟିଏ - ଯାଯାବର

ଜେନ୍‌ ଗୁରୁ ନେନେଙ୍କୁ ଜଣେ ଅନୁଗାମୀ ପଚାରିଲେ- ନିର୍ବାଣ କେମିତି ମିଳେ?

ନେନେ କହିଲେ- ତୁୁମେ କିଛି ଆଶା କରିବା ବା ଚାହିବା ଛାଡ଼ିଦିଅ।

ଅନୁଗାମୀ ହଉ ବୋଲି କହି ଚାଲିଗଲେ। ଦୁଇ ଦିନ ପରେ ପୁଣି ଆସି‌େଲ ଓ କହିଲେ- ଆପଣ ଯେଉଁ ନ ଚାହିବା କଥାଟି କହିଲେ ତାହା ହାସଲ କରି ହେଉନାହିଁ। ତାର ଉପାୟ କ’ଣ?

ନେନେ କହିଲେ- ‘ନ ଚାହିବା’ର ଉପାୟ ଖୋଜିବା ଅର୍ଥ ପୁଣି କିଛି ‘ଚାହିବା’। ତେଣୁ କିଛି ଖୋଜନାହିଁ।

ଅନ୍ବେଷୀ ପଚାରିଲେ- ବୁଝି ପାରିଲି ନାହିଁ।

ନେନେ କହିଲେ- ନଉକାଟିଏ ଅଛି। ତହିଁରେ ଆହୁଲା ଅଛି ଓ ପାଲ ବି ଅଛି। ତୁମେ ନଉକାରେ ଚଢ଼ିବା ପରେ ପ୍ରଥମେ ଆହୁଲାକୁ ଫିଙ୍ଗି ଦେଲ ଏବଂ ନଦୀର ସୁଅରେ ନଉକାକୁ ମେଲି ଦେଲ। ତୁମେ ଏଠି ପ୍ରଥମ ସ୍ତରର କାମନା ଛାଡ଼ିଲ। ତା ପରେ ତୁମେ ପାଲ ଲଗାଇବାକୁ ଭାବିଲ, କିନ୍ତୁ ପରେ ତାକୁ ବି ତ୍ୟାଗ କଲ। କାରଣ ଏବେ ତୁମେ କେବଳ ସୁଅରେ ଭାସିଯିବାକୁ ଚାହୁଛ, ତେଣୁ ପବନର ସହାୟତାକୁ ବି ଲୋଡ଼ିଲ ନାହିଁ। ଏବେ ତୁମେ ନଦୀରେ ସଂପୂର୍ଣ୍ଣ ମୁକ୍ତ ଭାବେ ଭାସି ଚାଲିଲ।

ଅନୁଗାମୀ କହିଲେ- କିନ୍ତୁ ଏମିତିରେ ତ କୂଳରେ ପହଞ୍ଚିବା ଅନିଶ୍ଚିତ?

ନେନେ କହିଲେ- ପୁଣି କୂଳରେ ପହଞ୍ଚିବା କଥା ଭାବିଲଣି? କେବଳ ଭାସି ଚାଲ!

ଅନୁଗାମୀ କହିଲେ- କୂଳରେ ନ ଲାଗି କେବଳ ଭାସି ଚାଲିବାରେ କି ଲାଭ?

ନେନେ କହିଲେ- ପୁଣି ଲାଭ ଖୋଜିଲଣି? ଆରେ ବାବୁ ସବୁ ଛାଡ଼ିଦିଅ। ମନରେ ଭୟ କି ଆଶଙ୍କା କିଛି ରଖ ନାହିଁ। ନିର୍ବାଣ ପାଇବା ଲାଗି ଏମିତି ଯାତ୍ରାଟିଏ ଦରକାର, ପାରିବ?

ସମ୍ବନ୍ଧିତ ଖବର