ମୁକ୍ତି ଚାହଁ?

କଥାଟିଏ - ଯାଯାବର

ଜେନ୍‌ ଗୁରୁ ନେନେଙ୍କ ପାଖକୁ ଆସିଲେ ଜଣେ ଯୁବକ। ସେ କହିଲେ ଯେ ସେ ମୁକ୍ତି ଚାହାନ୍ତି।

ନେନେ ଯୁବକକୁ କହିଲେ- ମୁକ୍ତି ଚାହୁଛ ବୋଇଲେ କ’ଣ ମୁଁ ବୁଝି ପାରୁନାହିଁ। ତୁମକୁ କିଏ ବାନ୍ଧି ରଖିଛି କି?

ଯୁବକ କହିଲେ- ମୁଁ ସେହି ମୁକ୍ତି କଥା କହୁନାହିଁ। ମୁଁ ନିର୍ବାଣ ଅର୍ଥରେ ମୁକ୍ତି କଥା କହୁଛି।

ନେନେ କହିଲେ- ମୋ ସହିତ ଭିତରକୁ ଆସ।

ନେନେ ଯୁବକଙ୍କୁ ନେଇ ଗଲେ ଗୋଟିଏ ପଞ୍ଜୁରି ନିକଟକୁ। ତହିଁରେ ବସିଥାଏ ଗୋଟିଏ ଶୁଆ। ନେନେ କହିଲେ- ଏ ଶୁଆର ବୟସ ଚାଳିଶ ବର୍ଷ। ୟେ ଜନ୍ମ ହେଲା ଦିନରୁ ଏହି ପଞ୍ଜୁରି ଭିତରେ ଅଛି।

ଏହା କହି ସାରିବା ପରେ ସେ ପଞ୍ଜୁରିକୁ ଖୋଲିଦେଲେ ଓ ଶୁଆକୁ ବାହାର କରି ଆଣିଲେ। ତାକୁ ନେଇ ବାରଣ୍ତାରେ ବସାଇ ଦେଲେ ଓ କହିଲେ- ତୁ ଏବେ ମୁକ୍ତ। ତୋ ଆଗରେ ଖୋଲା ଆକାଶ। ଏବେ ତୁ ଉଡ଼ିଯାଆ।

କିନ୍ତୁ ପକ୍ଷୀଟି ଉଡ଼ିଯିବ କ’ଣ, ଛାଟିପିଟି ହୋଇ ପଞ୍ଜୁରି ଭିତରକୁ ପଶିଯିବାକୁ ଚାହିଲା।

ନେନେ କହିଲେ- ଦେଖ, ତାକୁ ମୁକ୍ତ କରିଦେଲି, କିନ୍ତୁ ସେ ପଞ୍ଜୁରି ଭିତରେ ପଶିଯିବାକୁ ଚାହୁଁଛି। ‌ତେଣୁ ତାକୁ ଏ ପଞ୍ଜୁରି ବାନ୍ଧି ରଖିନାହିଁ। ତାକୁ ବାନ୍ଧି ରଖିଛି ତାର ମନ। ତେଣୁ ପ୍ରକୃତରେ ଆମେ ସମସ୍ତେ ମୁକ୍ତ, କିନ୍ତୁ ଏହି ଶୁଆ ଭଳି ଆମେ ତାହା ବୁଝିପାରୁନାହେଁ। ଏହାର କାରଣ ଆମ ମନ ଆମକୁ ବିଭିନ୍ନ ବନ୍ଧନରେ ବାନ୍ଧି ରଖିଛି। ତେଣୁ କେବଳ ମନର ବନ୍ଧନକୁ ଛିଣ୍ତାଇବା ହେଉଛି ଗୂଢ଼ କଥା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.