କେଉଁ ରାଜପଦ?

କଥାଟିଏ - ଯାଯାବର

ଜଣେ ସାଧୁ ଗୋଟିଏ ସହର ଭିତର ଦେଇ ଯାଉଥିବା ବେଳେ ଅଚାନକ ଗୋଟିଏ ହାତୀ ଆସି ତାଙ୍କ ମୁଣ୍ତ ଉପରେ ସୁନା କଳସରୁ ପାଣି ଢାଳିଦେଲା। ସାଧୁ ଜଣକ କିଛି ବୁଝିବା ଆଗରୁ ତାଙ୍କୁ ଲୋକେ କୋଳାହଳ କରି ମୁଣ୍ତରେ ବସାଇ ନାଚିବାକୁ ଲାଗିଥିଲେ। ସାଧୁ ହୋଇଯାଇଥିଲେ ସେ ରାଜ୍ୟର ନୂଆ ରାଜା। ତେବେ ତାଙ୍କୁ କହି ଦିଆଗଲା ଯେ ଏହା କେବଳ ବର୍ଷକ ଲାଗି। ତା’ ପରେ ପୁଣି ଆଉ ଜଣେ ନୂଆ ରାଜା ଆସିବେ।

ତାଙ୍କର ଅଭିଷେକ ହେଲା। ତାଙ୍କ ଖାଦ୍ୟପେୟ ଓ ଶୟନ ଲାଗି ଯେଉଁ ବ୍ୟବସ୍ଥାମାନ ହେଲା, ସେ ସବୁ କଥା ସାଧୁ କେବେ କଳ୍ପନାରେ ବି ଭାବି ନ ଥିଲେ। ତେବେ ସାଧୁ ଖାଇ ପିଇ ମୁଲାୟମ ଗଦିରେ ଅଧା ଶୋଇ ନର୍ତ୍ତକୀମାନଙ୍କ ନାଚ ଦେଖି ଉପଭୋଗ କରୁଥିଲେ।

ଏମିତି ଦିନ ପରେ ଦିନ ବିତିଗଲା ଶେଷରେ ବର୍ଷେ ସମାପ୍ତ ହେଲା। ସାଧୁ କୋମଳ ଗଦିରେ ଶୋଇଥିବା ବେଳେ ଜଣେ ଆସି କହିଲା- ଆପଣ ଯାଆନ୍ତୁ। ନୂଆ ରାଜା ଆସିବେ।
ସାଧୁ ତତ୍‌କ୍ଷଣାତ୍‌ ଉଠିପଡ଼ି ନିଜ ମସିଣାକୁ ଧରି ବାହାରି ଗଲେ।

ଏହି ସମୟରେ ଭୃତ୍ୟ ପଚାରିଲା- ଆପଣଙ୍କୁ ଦୁଃଖ ଲାଗୁନାହିଁ। ଏମିତି ରାଜ ପଦ ଗଲା ବେଳେ ପ୍ରାୟ ସମସ୍ତେ ବିମର୍ଷ ଚିତ୍ତରେ ଯାଆନ୍ତି।

ସାଧୁ କହିଲେ- କେଉଁ ରାଜପଦ? ଓ ତା’ ପରେ ଚାଲିଗଲେ।

ଏହି କଥା କହି ୟୁଜିକେ କହିଲେ- ନିରାଡ଼ମ୍ବର ଜୀବନ ଯାପନ କରୁଥିବା ଲୋକେ ଆଡ଼ମ୍ବରପୂର୍ଣ୍ଣ ଜୀବନକୁ ଘୃଣା କରିଥାଆନ୍ତି। କିନ୍ତୁ ତାହା ମଧୢ ଏକ ପ୍ରକାର ଅହ˚କାର। ଏହି ସାଧୁ ଥିଲେ ପ୍ରକୃତରେ ନିରହଙ୍କାରୀ। କାରଣ କୌଣସି ପ୍ରକାର ଜୀବନ ତାଙ୍କୁ ସ୍ପର୍ଶ କରୁ ନ ଥିଲା ବା ସେ ସବୁ ପ୍ରକାର ଜୀବନରୁ ଆନନ୍ଦ ଆହରଣ କରୁଥିଲେ।

ସମ୍ବନ୍ଧିତ ଖବର