କୁକୁରର କଥା

କଥାଟିଏ - ଯାଯାବର

ଜଣେ ଧନୀ ଲୋକଙ୍କ ପୋଷା କୁକୁରଟି ଖାଇପିଇ ମୋଟାସୋଟା ହୋଇଥାଏ ସିନା, କିନ୍ତୁ ମାଲିକଙ୍କ ଟ୍ରେନିଂ ଓ ଅତି କଡ଼ା ସ୍ବଭାବ ହେତୁ ତା ମନ ସରସ ନ ଥାଏ। ଧନୀ ଲୋକଙ୍କ ଘର ପାଖରେ ସବୁ ଦିନ ମୋଚିଟିଏ ବସେ। ମୋଚି ସହିତ ତା ପୋଷା ଦେଶୀ କୁକୁର ମଧ୍ୟ ପ୍ରତିଦିନ ଆସି ସେଠାରେ ବସି ରହେ। କାମ ସରିବା ପରେ ମୋଚି ସହିତ ସେ ଘରକୁ ଫେରେ। ସେ ଦିଶୁଥାଏ ଦୁର୍ବଳ। ହୁଏ’ତ ମୋଚି କୁକୁରଟିକୁ ଖାଇବାକୁ ଦେଇପାରୁ ନ ଥାଏ। କିନ୍ତୁ କୁକୁରକୁ ସେ ପ୍ରାଣଠାରୁ ବଳି ଅଧିକ ଭଲ ପାଉଥାଏ। କୁକୁରଟି ତାହା ଦେଖି ଦୀର୍ଘଶ୍ବାସ ପକାଏ। ଧନୀ ମାଲିକ ଅନେକ ସମୟରେ ତାଙ୍କ କୁକୁରକୁ ଧମକ ଦେଇ କହନ୍ତି ଯେ ତାକୁ ‌ମୋଚି ପାଖରେ ଛାଡ଼ିଦେବେ। ଖାଇବାକୁ ନ ପାଇଲେ ସେ ମଜା ପାଇବ। କୁକୁରଟି ଭାବେ, ହେ ପ୍ରଭୁ ସେମିତି ହୁଅନ୍ତା କି?

ସେ ଜାଣିଥାଏ ଯେ ମୋଚି ତା କୁକୁରକୁ କଦାପି ଜଞ୍ଜିରରେ ବାନ୍ଧୁ ନ ଥିବ। କାରଣ ସେ ଜାଣେ ଯେ ଯେଉଁଠି ସ୍ନେହର ଜଞ୍ଜିର ରହିଛି, ସଠି ଲୁହା ଜଞ୍ଜିରର ଆବଶ୍ୟକତା ନାହିଁ। କିନ୍ତୁ ସେ କେମିତି ତା ମାଲିକଙ୍କୁ ବୁଝାଇବ ଯେ ସ୍ନେହ ତୁମକୁ ମୁକ୍ତି ଦିଏ ସତ, କିନ୍ତୁ ତାହା ଏକ ଅଦୃଶ୍ୟ ବନ୍ଧନରେ ବି ବାନ୍ଧି ପକାଏ; ସେହି ଦେଶୀ କୁକର ଓ ମୋଚି ଭିତରେ ତାହା ହିଁ ଥିଲା।

ଦି‌େନ ଧନୀକଙ୍କ ଘରର ଫାଟକ ଖୋଲା ଥିବା ବେଳେ କୁକୁରଟି ସୁଯୋଗ ଦେଖି ବାହାରି ପଳାଇ ଗଲା। ସେ ଆଉ ଫେରିଲା ନାହିଁ। ଧନୀ ମାଲିକ ରାଗି ଯାଇ କହିଲେ- ନିମକହାରାମ! ଭୋକରେ ରହିଲେ ବ‌େଳ ଫେରିବ।

କିନ୍ତୁ କୁକୁରଟି ଆଉ ଜମାରୁ ଫେରିଲା ନାହିଁ।

ସମ୍ବନ୍ଧିତ ଖବର