ପଗଡ଼ିର ଦର

କଥାଟିଏ - ଯାଯାବର

ଜଣେ ରାଜାଙ୍କ ଦରବାରରେ ପହଞ୍ଚିଲେ ଜଣେ ବିଦେଶୀ। ତାଙ୍କ ହାତରେ ଥିଲା ଏକ ଚମତ୍କାର ପଗଡ଼ି। ରାଜା ବୁଝି ପାରିଲେ ଯେ ବିଦେଶୀ ସେହି ପଗଡ଼ିଟିକୁ ରାଜାଙ୍କୁ ବିକ୍ରି କରିବାକୁ ଚାହାନ୍ତି। ତଥାପି ରାଜା ପଚାରିଲେ- କ’ଣ କହିବାକୁ ଚାହାନ୍ତି କୁହନ୍ତୁ।

ବିଦେଶୀ କହିଲେ- ମହାରାଜ ଏହି ପଗଡ଼ିଟି କେତେ ସୁନ୍ଦର ତାହା ଦେଖନ୍ତୁ। ଏହାକୁ ତିଆରି କରିବା ଲାଗି ମୋତେ ଏକ ସହସ୍ର ସ୍ବର୍ଣ୍ଣ ମୁଦ୍ରା ବ୍ୟୟ କରିବାକୁ ପଡ଼ିଛି। ମୁଁ ଆପଣଙ୍କୁ ଏହି ପଗଡ଼ି ବିକ୍ରି କରିବାକୁ ଚାହେଁ।

ଏହା ଶୁଣି ରାଜାଙ୍କ ବିଦୂଷକ ରାଜାଙ୍କ କାନ ପାଖକୁ ମୁହଁ ଆଣି ଅନୁଚ୍ଚ ସ୍ବରରେ କହିଲା- ମଣିମା, ଜମା ନୁହେଁ। ଏହି ପଗଡ଼ିଟି ଲାଗି ମାତ୍ର ପଚିଶଟି ମୁଦ୍ରା ଲାଗିଥିବ।

ବିଦେଶୀ ଆଗରୁ ବହୁତ ରାଜା, ବହୁତ ବିଦୂଷକ ଓ ବହୁତ ଦରବାର ଦେଖିଥିଲେ। ସୁତରାଂ, ସେ ବୁଝିପାରିଲେ ବିଦୂଷକ ରାଜାଙ୍କୁ କ’ଣ କହି ଥାଇପାରନ୍ତି।

ତେଣୁ ସେ ରାଜାଙ୍କୁ କହିଲେ- ମହାରାଜ ଏହି ପଗଡ଼ିଟି ତିଆରି କଲା ବେଳେ ଯିଏ ଏହାକୁ ଦେଖୁଥିଲା ସେ କହୁଥିଲା ଏହାକୁ ଖର୍ଦ୍ଦି କରିବାକୁ ଏ ପୃଥିବୀରେ ଜଣେ ମାତ୍ର ରାଜା ଅଛନ୍ତି। କେବଳ ଜଣେ ମାତ୍ର ରାଜା ଏହାର ଗୁଣ ବୁଝିପାରିବେ। ତେଣୁ ମୁଁ ଆପଣଙ୍କ ପାଖକୁ ଏହାକୁ ନେଇ ଆସିଛି।

ଏହା ଶୁଣି ରାଜା କହିଲେ – ବିଦେଶୀଙ୍କ ସତ୍କାର କର ଏବଂ ଦୁଇ ସହସ୍ର ମୁଦ୍ରା ଦେଇ ତାଙ୍କ ଠାରୁ ଏହି ପଗଡ଼ିଟି କିଣ।

ସେହି ଦିନ ଭଲ ଭାବେ ଆପ୍ୟାୟିତ ହୋଇ ବିଦେଶୀ ଯିବାକୁ ବାହାରିବା ବେଳେ ବିଦୂଷକଙ୍କୁ ଅଗତ୍ୟା ଭେଟିବାରୁ ତାଙ୍କ କାନରେ କହିଲେ- ଆପଣ ପଗଡ଼ିର ଦର ଠିକ ଜାଣି ଥାଇ ପାରନ୍ତି, ମୁଁ କିନ୍ତୁ ରାଜାମାନଙ୍କୁ ଠିକ ଭାବେ ଜାଣେ।

ସମ୍ବନ୍ଧିତ ଖବର