ମୁଲ୍ଲାଙ୍କ ପର୍ଯ୍ୟବେକ୍ଷଣ

କଥାଟିଏ - ଯାଯାବର

ବିଦ୍ୟା ଯେ ବୁଦ୍ଧି ଦିଏ, ସେ ପରି ନୁହେଁ। ଏହା ଦର୍ଶାଇବାକୁ ଯାଇ ଗୁରୁ ୟୁଜିକେ କହିଲେ ଏହି ମଜା ଗପଟି।

ମୁଲ୍ଲା ନସିରୁଦ୍ଦିନ ବି ପାଠ ପଢ଼ି ବୈଜ୍ଞାନିକ ହୋଇଥିଲେ। ସେ ତାଙ୍କ ପରୀକ୍ଷାଗାରରେ ବେଙ୍ଗମାନଙ୍କ ଉପରେ ଗୋଟିଏ ପରୀକ୍ଷଣ କରୁଥିଲେ। ସେ ଯେଉଁ ବେଙ୍ଗଟିକୁ ନେଇଥିଲେ, ତାହା ଗୋଟିଏ ଡିଆଁରେ ଆଠ ଫୁଟ ଗଲା। ମୁଲ୍ଲା ତାହା ଗୋଟିଏ ‌ନୋଟ୍‌ ଖାତାରେ ଟିପି ରଖିଲେ। ତା‌ ପରେ ସେ ବେଙ୍ଗର ଗୋଟିଏ ଗୋଡ଼କୁ ତା ଦେହ ସହ ବାନ୍ଧି ଦେଲେ ଓ କହିଲେ- ଡିଆଁ ମାର। ଏବେ ତିନିଟି ଗୋଡ଼ରେ ବେଙ୍ଗଟି ଛଅ ଫୁଟ ଡେଇଁଲା। ତା ପରେ ମୁଲ୍ଲା ତାର ଆଉ ଗୋଟିଏ ଗୋଡ଼ ବାନ୍ଧି ଦେଇ କହିଲେ- ଏବେ, ଡେଏଁ। ବେଙ୍ଗ ଏଥର ଦୁଇ ଗୋଡ଼ରେ ଚାରି ଫୁଟ ଡେଇଁ ପାରିଲା। ମୁଲ୍ଲା ତା ପରେ ତାର ତିନି ଗୋଡ଼ ବାନ୍ଧି ପକାଇ ତାକୁ ଟିକିଏ ଖେଞ୍ଚି ଦେଇ କହିଲେ- ଏବେ ଡ଼ିଆଁ ମାର ତ ଦେଖି! ବେଙ୍ଗ ବି କିଛି କମ୍ ନ ଥିଲା। ଏଥର ସେ କିଛି ଉଚ୍ଚତାକୁ ଡେଇଁଲା। ଏବେ ମୁଲ୍ଲା ତାର ଚାରିଟି ଯାକ ଗୋଡ଼କୁ ବାନ୍ଧି ଦେଲେ ଏବଂ କହିଲେ- ବାବୁ, ଏବେ ଡେଏଁ।

ଏଥର ବେଙ୍ଗ ‌େଡଇଁ ପାରିଲା ନାହିଁ। ମୁଲ୍ଲା ତା ପାଖରେ ମୁହଁ ରଖି ଯେତେ ପାଟି କଲେ ବି ବେଙ୍ଗ ଡେଇଁ ପାରିଲା ନାହିଁ।

ମୁଲ୍ଲା ନସିରୁଦ୍ଦିନଙ୍କ ପର୍ଯ୍ୟବେକ୍ଷଣ ସରିଲା। ସେ ପରୀକ୍ଷାର ସିଦ୍ଧାନ୍ତରେ ଲେଖିଲେ- ଯଦି ବେଙ୍ଗର ଚାରି ଗୋଡ଼କୁ ବାନ୍ଧି ଦିଆଯାଏ, ତେବେ ସେ କାଲା ହୋଇଯାଏ। ମୁଁ ତାକୁ ତିନି ଥର ଡେଏଁ ବୋଲି କହିଲି ହେଲେ ସେ ଚଙ୍କିଲା ନାହିଁ।

ସମ୍ବନ୍ଧିତ ଖବର