ମୁଲ୍ଲାଙ୍କ ପରାମର୍ଶ

କଥାଟିଏ - ଯାଯାବର

ଥରେ ଦୂର ସ୍ଥାନରୁ ଜଣେ ବ୍ୟବସାୟୀ ପହଞ୍ଚିଲେ ମୁଲ୍ଲା ନସିରୁଦ୍ଦିନଙ୍କ ଗାଁରେ। ସେ ଗୋଟିଏ ଦୋକାନ ଖୋଲିବା ଲାଗି ଉପଯୁକ୍ତ ସ୍ଥାନ ଖୋଜିଲେ। ଯାହାକୁ ବି ପଚାରିଲେ, ସେ କହିଲା- ଆମ ଗାଁରେ ନୂଆ ଦୋକାନ ଲାଗି ଆଉ ସୁଯୋଗ ନାହିଁ। କାରଣ ଗାଁରେ ଯେତିକି ଲୋକ ରହନ୍ତି, ତା ତୁଳନାରେ ବହୁତ ଅଧିକ ଦୋକାନ ହୋଇ ଗଲାଣି।

ଏଇ ସମୟରେ ତାଙ୍କର ମନେ ପଡ଼ିଗଲା ଗୋଟିଏ କଥା। କେହି ଜଣେ ତାଙ୍କୁ କହିଥିଲା ଯେ ତୁମେ ଯେଉଁ ଗାଁକୁ ଯାଉଛ, ସେଠି ମୁଲ୍ଲା ନସିରୁଦ୍ଦିନ ନାମକ ଜଣେ ଲୋକ ରହନ୍ତି। ତୁମେ ସେଠାରେ ଯାହା କରିବ ସେ ନେଇ ମୁଲ୍ଲାଙ୍କୁ ଥରେ ପଚାରି ଦେବ। ତାଙ୍କର ପରାମର୍ଶ ଥରେ ହେଲେ ବି ଲୋଡ଼ିିବ। ସୁତରା˚, ବ୍ୟବସାୟୀ ଜଣକ ମୁଲ୍ଲାଙ୍କୁ ଏ ବିଷୟରେ ପଚାରିଲେ।

ମୁଲ୍ଲା ପଚାରିଲେ- ତୁମେ କିଭଳି ବ୍ୟବସାୟ କରିବାକୁ ଚାହୁଁଛ?

ବ୍ୟବସାୟୀ କହିଲେ- ମୁଁ ଏକ ଦୋକାନ ଖୋଲିବି ବୋଲି ଭାବୁଛି।

ମୁଲ୍ଲା କହିଲେ- ଏଠି ବହୁତ ଦୋକାନ। ତୁମେ ଯଦି ଲାଭଖୋର, ଅସାଧୁ ଓ ସ୍ବାର୍ଥପର ହେବ, ତେବେ ଯେଉଁଠି ଖୋଲିଲେ ଚଳିବ। କାରଣ ତାହା ଚାଲିବ ନାହିଁ। କାରଣ ଏଠି ସମସ୍ତେ ସେହିଭଳି। ଯଦି ତୁମେ ଲାଭଖୋର ନ ହୋଇ ସାଧୁତା ରଖି ଭଲ ଜିନିଷ ବିକିବ, ତେବେ ବି ଯେଉଁଠି ଖୋଲିଲେ ଚଳିବ। କାରଣ ତାହା ଚାଲିବ। ସେଭଳି ହେଲେ ତୁମର ପ୍ରତିଦ୍ବନ୍ଦ୍ବିତା ହିଁ ନାହିଁ।

ସମ୍ବନ୍ଧିତ ଖବର