ସନ୍ନ୍ୟାସୀଙ୍କ ଦୂରଦୃଷ୍ଟି

କଥାଟିଏ - ଯାଯାବର

ଆଶ୍ରମରେ ଯେଉଁ ତରୁଣ ରୋଷେଇ କରୁଥିଲା, ତାର ପ୍ରତିଭା ଦେଖି ଦିନେ ସନ୍ନ୍ୟାସୀ ତାକୁ କହିଲେ- ବାବୁ, ତୁ ଜଣେ ପ୍ରତିିଭାବାନ ଯୁବକ। ତୁ ଚାହିଁଲେ ଅନନ୍ୟ ରୋଷେଇୟାରେ ପରିଣତ ହେବୁ। କିନ୍ତୁ ‌େସଥି ଲାଗି ତୋତେ ଦରକାର ସୁଯୋଗ। ତେଣୁ ଚାଲ, ରାଜାଙ୍କୁ କହି ତାଙ୍କ ପାଖରେ ତୋତେ ରୋଷେଇୟା ଭାବେ ନିଯୁକ୍ତ କରିବାର ବ୍ୟବସ୍ଥା କରିବି।

ଯୁବକଟି ଏହା ଶୁଣି ଅତ୍ୟନ୍ତ ଖୁସି ହୋଇଗଲା। କାରଣ ସେ ବି ଚାହୁଁଥିଲା ଯେ ତାର ରନ୍ଧନ କଳାର ସୁନାମ ହେଉ। ସେଥି ଲାଗି ଏହା ଠାରୁ ବଡ଼ ସୁଯୋଗ ଆଉ କ’ଣ ଥାଇପାରେ!

ସେ ରାଜାଙ୍କ ରୋଷେଇୟା ହେଲା। ବର୍ଷକ ଭିତରେ ତାର ରନ୍ଧନ କଳାର ଭୁରି ଭୁରି ପ୍ରଶଂସା ହେଲା। ରାଜା ଏବଂ ତାଙ୍କ ମିତ୍ରମାନେ ତାର ରୋଷେଇରେ ପ୍ରୀତ ହୋଇ ତାକୁ ପୁରସ୍କୃତ କରିବାରେ ଲାଗିଲେ। ସେ ପ୍ରସିଦ୍ଧ ହୋଇଗଲା।

ଦିନେ ସେ ନିଜ ଗ୍ରାମକୁ ଯାଇଥିବା ବେଳେ ତାର ବନ୍ଧୁମାନେ କଥାବାର୍ତ୍ତା ଛଳରେ କହିଲେ- ସନ୍ନ୍ୟାସୀ ତୁମ ପ୍ରତିଭା ଚିହ୍ନି ତୁମକୁ ରାଜା ଘରେ ରୋଷେଇ ଲାଗି ନିଯୁକ୍ତ କରିଥିବାରୁ ସେ କୃତଜ୍ଞତାର ହକ୍‌ଦାର।

ଯୁବକ କହିଲା- ସନ୍ନ୍ୟା‌ସୀ ଜଣେ ମହାତ୍ମା। ସେ ମୋତେ ରାଜାଙ୍କ ଘରେ ନିଯୁକ୍ତ କରିବା ପଛରେ ତାଙ୍କର ଉଦ୍ଦେଶ୍ୟ କେବଳ ଏୟା ନ ଥିଲା ଯେ ଏହା ଦ୍ବାରା ମୋତେ ଗୋଟିଏ ମହାର୍ଘ ସୁଯୋଗ ମିଳିବ। ତାଙ୍କର ଆଉ ଯେଉଁ ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ଥିଲା, ତାହା ହେଉଛି ରାଜାଙ୍କ ଲାଗି ରୋଷେଇ କରିବା ବେ‌େଳ ମୁଁ ମୋ ବିଦ୍ୟାର ଉପଯୋଗରେ ଅଧିକ ସତର୍କ ରହିବି, ଭଲ ରାନ୍ଧିବା ସକାଶେ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବି, ନିଜକୁ ସର୍ବୋତ୍ତମ ଭାବେ ଗଢ଼ିବି। ଏଭଳି ଦୂରଦୃଷ୍ଟି ହିଁ ତାଙ୍କର ଅସଲ ମହାନତା।

ସମ୍ବନ୍ଧିତ ଖବର