କ୍ଷଣ କ୍ଷଣର କଥା

କଥାଟିଏ - ଯାଯାବର

ରାଜା ବିମ୍ବିସାର ମହାବୀର ଜୈନଙ୍କୁ ଦର୍ଶନ କରିବାକୁ ଦଳବଳ ସହ ଯାଉଥାଆନ୍ତି। ବାଟରେ ସେ ଦେଖିଲେ ତାଙ୍କ ପରମ ମିତ୍ର ରାଜା ପ୍ରସନ୍ନ ମହାବୀରଙ୍କ ଦ୍ବାରା ଦୀକ୍ଷିତ ହୋଇ ଜଣେ ଜୈନ ସାଧୁ ଭାବେ ତପସ୍ୟାରେ ବସିଛନ୍ତି। ରାଜା ପ୍ରସନ୍ନ ଆଖି ବୁଜି ମୂର୍ତ୍ତିବତ୍‌ ବସିଥାଆନ୍ତି। ବିମ୍ବିସାର ତାଙ୍କ ଧ୍ୟାନରେ ବାଧା ଦେବାକୁ ଚାହିଁଲେ ନାହିଁ। ତେବେ ପ୍ରସନ୍ନଙ୍କ ସାଧନା ଆଗରେ ମୁଣ୍ଡ ନୁଆଇଁ ଦେଇ ସେ ଆଗକୁ ଚାଲିଲେ।

ଘୋର ଜଙ୍ଗଲ ଭିତରେ ମହାବୀରଙ୍କ ସହିତ ତାଙ୍କର ସାକ୍ଷାତ ହେଲା। ସେ ମହାବୀରଙ୍କୁ ପ୍ରଣିପାତ କରି କହିଲେ- ମହାଭାଗ, ମୁଁ ଜଣେ ଅଧମ ସଂସାରୀ। କିନ୍ତୁ ଦେଖନ୍ତୁ ମୋ ମିତ୍ର ପ୍ରସନ୍ନ କିଭଳି ସାଧନାରତ।

ମହାବୀର କହିଲେ- ଏବେ ସେ ଯେଉଁ ସ୍ଥିତିରେ ଅଛନ୍ତି ‌େସଥିରେ ସେ ଜଣେ ପରମ ସାଧକ ନିଶ୍ଚୟ। କିନ୍ତୁ ତୁମେ ଯେତେବେଳେ ତାଙ୍କ ଆଗରେ ପ୍ରଣାମ କରୁଥିଲ, ସେତିକି ବେଳେ ସେ ତୁମ ଭଳି ଅଧମ ସ୍ଥିତିରେ ଥିଲେ।

ବିମ୍ବିସା‌ର ଅତ୍ୟନ୍ତ ବିସ୍ମିତ ହୋଇ କାରଣ ଜାଣିବାକୁ ଚାହିଁଲେ।

ମହାବୀର କହିଲେ- ତୁମେ ଯେତେବେଳେ ଆସୁଥିଲ ତୁମ ପଟୁଆରର ସବା ପ୍ରଥମେ ଥିବା ସୈନିକ ପ୍ରସନ୍ନଜିତଙ୍କୁ ଲକ୍ଷ୍ୟ କରି କହିଦେଲା- ଅପଦାର୍ଥ ରାଜା, ମୁନି ହୋଇଛି! ଏଣେ ତାର ନାବାଳକ ପୁତ୍ରକୁ ଠକି ପାତ୍ରମନ୍ତ୍ରୀମାନେ ରାଜସଂପଦକୁ ଲୁଟିବାରେ ବ୍ୟସ୍ତ! ବାସ୍ ଏତିକିରେ କ୍ଷଣିକ ଲାଗି ପ୍ରସନ୍ନଙ୍କ ମନ ବିଚଳିତ ହୋଇଗଲା। ଆଖି ବୁଜି ଧ୍ୟାନରେ ବସିଥିବା ସତ୍ତ୍ବେ ସେ କ୍ରୋଧ ଜର୍ଜରିତ ହୋଇଗଲେ। ମନରେ ତାଙ୍କର ତରବାରୀ ବୁଲିଗଲା। କିନ୍ତୁ ହଠାତ୍ ସଂବିତ୍ ଫେରି ପାଇ ସେ ପୁଣି ଧ୍ୟାନସ୍ଥ ହେଲେ। ତାହା ହିଁ ହେଉଛି ସେହି କ୍ଷଣ ଓ ଏହି କ୍ଷଣ ଭିତରେ ପାର୍ଥକ୍ୟ।

ସମ୍ବନ୍ଧିତ ଖବର