ଜଣେ ବ୍ୟବସାୟୀ ହଠାତ୍‌ ବ୍ୟବସାୟରେ ଭୀଷଣ କ୍ଷତିଗ୍ରସ୍ତ ହେଲେ। ତାଙ୍କ ବେପାର ଡୁବିଗଲା। ବ୍ୟବସାୟ ଭଲ ଚାଲୁଥିବା ବେଳେ ସେ ଈଶ୍ବରଙ୍କ ଉପରେ ଗଭୀର ବିଶ୍ବାସ ରଖିଥିଲେ। କିନ୍ତୁ ଏବେ ଯେଉଁ ସ୍ଥିତି ହେଲା, ସେଥିରେ ତାଙ୍କର ଈଶ୍ବର ବିଶ୍ବାସ ଚୁରମାର ହୋଇଗଲା। ମଝିରେ ମଝିରେ ସେ ଆକାଶକୁ ଚାହିଁ ଈଶ୍ବରଙ୍କ ଉପରେ ଅଭିସ˚ପାତ ବର୍ଷଣ କରିବାରେ ଲାଗିଲେ।

Advertisment

ସେଇ ବେପାରୀଙ୍କ ଘର ପାଖରେ ଏକ ବସ୍ତିରେ ରହୁଥାଏ ଜଣେ ବୃଦ୍ଧ ଭିକ୍ଷୁକ। ବ୍ୟବସାୟୀ ଲକ୍ଷ୍ୟ କରନ୍ତି ଯେ ସେଇ ବୃଦ୍ଧ ଭିକାରି ପ୍ରତିଦିନ ସକାଳୁ ଗଭୀର ଭକ୍ତିର ସହିତ ଭଗବାନଙ୍କୁ ପ୍ରାର୍ଥନା କରି ଭିକ୍ଷା ମାଗି ବାହାରୁଥାଏ। କେଉଁ ଦିନ ଭିକ୍ଷା ଆଦୌ ମିଳେନା। କେଉଁ ଦିନ ସେ ତାଚ୍ଛଲ୍ୟ ଓ ଘୃଣାର ଶିକାର ହୋଇ ଘରକୁ ଫେରେ। ଅନେକ ଦିନ ସେ ଭୋକିଲା ରହେ। କିନ୍ତୁ ଭଗବାନଙ୍କ ପ୍ରତି ତାର ବିଶ୍ବାସ ଥାଏ ଅତୁଟ। ସେ ସବୁ ଦିନ ଭଗବାନଙ୍କୁ ପ୍ରାର୍ଥନା କରେ ଏବ˚ ତାର ଦୁଃଖ ହରଣ କରିବାକୁ ମାଜଣା କରେ।

ଦିନେ ବେପାରୀ ତାକୁ ପଚାରିଲେ- ତୁମେ ଜୀବନରେ ଏତେ କଷ୍ଟ ପାଉଛ। ତା ସତ୍ତ୍ବେ ଭଗବାନଙ୍କୁ ବିଶ୍ବାସ କରି ପ୍ରତି ଦିନ ପୂଜା ଓ ପ୍ରାର୍ଥନା କରୁଛ। ଭଗବାନଙ୍କ ଉପରୁ ତୁମର ବିଶ୍ବାସ ତୁଟିଯାଉନାହିଁ?

ଭିକ୍ଷୁକ ଉତ୍ତର ଦେଲା- ଭାଇ ଗୋଟିଏ ସରଳ କଥା ବିଚାର କରନ୍ତୁ। ମୁଁ ଭିକ୍ଷା କରି ଚଳୁଛି। ଭିକ୍ଷୁକର ଅନ୍ନ ଉପରେ ଦାବି ନ ଥାଏ। ସେ ଦୟାର ପାତ୍ର। ଲୋକଙ୍କ ହୃଦୟରେ ସେ ଦୟା ସୃଷ୍ଟି କରୁଛି କିଏ? ଭଗବାନ ଆମ ଭଳି ଅଗଣିତ ଦରିଦ୍ରଙ୍କ ଲାଗି ଖାଦ୍ୟ ଜୁଟାଇବାରେ ଲାଗିଛନ୍ତି। ଏହା କ’ଣ କମ୍‌ ବଡ଼ କଥା? ଜଣେ ଯଦି ଭାଗ୍ୟ ବିପର୍ଯ୍ୟୟରୁ ଅତି ଉଚ୍ଚ ସ୍ଥାନରୁ ଖସି ଏ ସ୍ଥାନରେ ପହଞ୍ଚିଛି, ତେବେ ସେ ନିଜ ଦୁର୍ଭାଗ୍ୟକୁ ନେଇ ଏତେ ଅଧୀର ହୋଇପଡ଼େ ଯେ ସେ ଛୋଟ ଛୋଟ ସୌଭାଗ୍ୟକୁ ବିଚାରକୁ ନିଏନାହିଁ। ଯେମିତି ଆପଣଙ୍କ ଜୀବନରେ ହୋଇଛି?

ବ୍ୟବସାୟୀ ପଚାରିଲେ- ମୋର ତ ସବୁ କିଛି ସରିଯାଇଛି। ରହିଛି କଅଣ ଯେ ସୌଭାଗ୍ୟ କଥା ଭାବିବି?

ଭିକ୍ଷୁକ କହିଲେ- ଆପଣ ତ ନିଜେ ବଞ୍ଚି ରହିଛନ୍ତି। ଏହା କଅଣ କମ୍‌ ବଡ଼ ସୌଭାଗ୍ୟ?

ବେପାରୀଙ୍କ ମନକୁ ଏ କଥା ପ୍ରଭାବିତ କଲା। ପୁଣି ତାଙ୍କ ମନରେ ଆସ୍ଥା ଜନ୍ମିଲା। ସେ ତ ବଞ୍ଚି ରହିଛନ୍ତି। ତେଣୁ ସମ୍ବଳ ଜୁଟାଇ ସେ ପୁଣି ବ୍ୟବସାୟ ଆରମ୍ଭ କଲେ ଓ ପୁଣି ପ୍ରତିଷ୍ଠିତ ହୋଇଗଲେ।