ଭାଗ୍ୟରେ ଅଛି କ’ଣ?

କଥାଟିଏ - ଯାଯାବର

ପର୍ତ୍ତୁଗାଲର ରାଜଧାନୀ ଲିସବନର ଏକ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ଜେଲ ଭିତରେ ସଜା କାଟୁଥିବା ଦୁଇ ଜଣ ଚୋର ଠିକ୍‌ କଲେ ଯେ ସେମାନେ ଯେମିତି ହେଲେ ଜେଲରୁ ଖସି ପଳାଇବେ। ସେମାନେ ଏ ଦିଗରେ କାମ ଆରମ୍ଭ କରିଦେଲେ। ଅତି ଗୋପନରେ ଓ ଅତି କଷ୍ଟରେ ସେମାନେ ଜେଲରୁ ଖସିବାର ଯୋଜନା କାର୍ଯ୍ୟକାରୀ କଲେ। ଭାଗ୍ୟ ସେମାନଙ୍କୁ ସହାୟକ ହେଲା। ଭାଗ୍ୟ ସାଥୀରେ ଥିଲେ ଭୟ କାହାକୁ? କୌଣସି ମତେ ସେମାନେ ସବୁ ବାଧାବିଘ୍ନ, ବନ୍ଧୁକଧାରୀ ଗାର୍ଡ, ଵାଚ୍‌ ଟାଵାରର ଆଲୋକ, ଜଗୁଆଳି କୁକୁରଙ୍କ ବଳୟ ଅତିକ୍ରମ କରି ଉଚ୍ଚ ପାଚେରି ଚଢ଼ି ଆର ପଟକୁ ଡେଇଁ ପଡ଼ିଲେ। ଏବେ କେବଳ ମୁକ୍ତିର ଆନନ୍ଦ। ଭାଗ୍ୟ ସେମାନଙ୍କ ସହିତ ଥିଲା ବୋଲି ସେମାନେ ପାଚେରିରୁ ତଳକୁ ଡେଇଁଲା ବେଳେ ଅତି ନିରାପଦର ସହିତ ପଡ଼ିଲେ ହାଇେଵ ଉପରେ ଯାଉଥିବା ଏକ ମାଲ ବୋଝେଇ ଲରି ଉପରେ। ସେମାନେ ଭଗବାନଙ୍କୁ ଅଶେଷ ଧନ୍ୟବାଦ ଦେଲେ। କିନ୍ତୁ ଦୁର୍ଭାଗ୍ୟ, କିଛି ସମୟ ପରେ ସେଇ ଲରି ଜେଲ୍‌ ଭିତରକୁ ପଶିଲା। କାରଣ ସେଥିରେ ଜେଲ ଅନ୍ତେବାସୀମାନଙ୍କ ନିମନ୍ତେ ଜିନିଷ ଆସୁଥିଲା।

କଥାଟି କହି ୟୁଜିକେ କହିଲେ- ଭାଗ୍ୟ କାହାକୁ କ’ଣ, କେମିତି ଓ କିଭଳି ଭାବେ ଦେଇଥାଏ, ତାହା କାହାକୁ ଜଣା ନ ଥାଏ। ‌େତଣୁ ସେ ନେଇ କୌଣସି ଏକ ଧାରଣା ଜନ୍ମାଇବା ନିର୍ବୋଧତା।

ସମ୍ବନ୍ଧିତ ଖବର